(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଟକ ଜିଲ୍ଲାର ବନାଞ୍ଚଳ ୫ ଖଣ୍ଡରେ ଭାଗ ହୋଇଛି। ତେବେ ଆଶ୍ଚର୍ଯ୍ୟଜନକ ସ୍ଥିତି ହେଉଛି ଯେ, କଟକ ସହର ବନାଞ୍ଚଳ ଭୁବନେଶ୍ବର ସିଟି ଡିଭିଜନ ଅଧୀନରେ ରହିଛି । କଟକ ସହର ସମେତ ୧୪ଟି ବ୍ଲକ୍ ୫ ବନଖଣ୍ଡ ଅଧୀନରେ ଭାଗଭାଗ ହୋଇଥିବା ବେଳେ ଡିଏଫ୍ଓ ସିଟି ଡିଭିଜନ ଭୁବନେଶ୍ବର, କଟକ ବନଖଣ୍ଡ, ଆଠଗଡ଼ ବନଖଣ୍ଡ, ଚନ୍ଦକା ଓ ଖୋର୍ଦ୍ଧା ବନଖଣ୍ଡ ଏଭଳି ୫ଟି ବନଖଣ୍ଡ ଅଧୀନରେ କଟକ ଜିଲ୍ଲାକୁ ବାଣ୍ଟି ଦିଆଯାଇଛି।
ତେବେ କଟକର କିଛି ଅଞ୍ଚଳ ବାସିନ୍ଦାଙ୍କୁ ଅଭିଯୋଗ ଜଣାଇବା ପାଇଁ କେନ୍ଦ୍ରାପଡ଼ା ଯିବାକୁ ପଡୁଥିବା ବେଳେ ଆଉ କିଛି ଅଞ୍ଚଳବାସୀଙ୍କୁ ଭୁବନେଶ୍ବର , ଚନ୍ଦକା ଆଉ ଖୋର୍ଦ୍ଧା ଆସିବାକୁ ପଡୁଛି। ଏଭଳି ବିଚିତ୍ର ଭୌଗୋଳିକ ବ୍ୟବସ୍ଥା ଭିତରେ ବର୍ଷ ବର୍ଷ ହେଲା ଛନ୍ଦି ହୋଇ ରହିଛି କଟକର ବନାଞ୍ଚଳ ପରିଚାଳନା ବ୍ୟବସ୍ଥା। ଏଭଳି ବିଚିତ୍ର ବ୍ୟବସ୍ଥା ପାଇଁ ବିଭାଗ ମଧ୍ୟରେ ସମନ୍ବୟ ରହୁନଥିବା ବେଳେ ଜଙ୍ଗଲ ସଂପଦ ଲୁଟ୍ ହେଉଥିବା ଅଭିଯୋଗ ହେଉଛି। କଟକ ଜିଲ୍ଲା ପାଇଁ ଗୋଟିଏ ବନଖଣ୍ଡ ଓ ଜଣେ ବନଖଣ୍ଡ ଅଧିକାରୀ ବ୍ୟବସ୍ଥା ପାଇଁ ବର୍ଷେ ହେଲା ଯୋଜନା ଚାଲି ଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ।
କଟକ ଜିଲ୍ଲାରେ ମହାନଗର ନିଗମ, ଗୋଟିଏ ପୌରପରିଷଦ, ଦୁଇଟି ଏନ୍ଏସି ଓ ୧୪ଟି ବ୍ଲକ୍ ରହିଛି । କଟକ ଜିଲ୍ଲାର ବନାଞ୍ଚଳକୁ ୫ଟି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି କଟକ ଡିଏଫ୍ଓ ସିଟି ଡିଭିଜନ୍ଙ୍କ ଅଧୀନରେ କଟକ ସହର ସମେତ ଫୁଲନଖରା, କଣ୍ଟାପଡ଼ା, ନିଆଳି, ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ୍ । ତେବେ ବିଚିତ୍ର କଥାଟି ହେଉଛି ଏହାର ମୁଖ୍ୟ କାର୍ଯ୍ୟାଳୟ ବା ଡିଏଫ୍ଓ ସିଟି ଡିଭିଜନଙ୍କ ଅଫିସ କିନ୍ତୁ ଭୁବନେଶ୍ବରରେ ରହିଛି ଏବଂ କଟକରେ ଏହାର ଦୁଇଟି ରେଞ୍ଜ କାର୍ଯ୍ୟଳୟ ରହିଛି। ଗୋଟିଏ ମହାନଦୀବିହାରରେ ରହିଥିବା ବେଳେ ଅନ୍ୟଟି ଘାଟକୂଳରେ ରହିଛି । ସେହିପରି ବୟାଳିଶମୌଜାଠାରେ ଥିବା କଟକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନାଁ କଟକ ଡିଏଫ୍ଓ ଅଫିସ ହୋଇଥିଲେ ବି ସେହି କାର୍ଯ୍ୟାଳୟ ଅଧୀନରେ ଜିଲ୍ଲାର ମାତ୍ର ଦୁଇଟି ବ୍ଲକ୍ ରହିଛନ୍ତି। ଗୋଟିଏ ହେଉଛି ଟାଙ୍ଗୀ-ଚୌଦ୍ବାର ଓ ଅନ୍ୟଟି ମାହାଙ୍ଗା । କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍ସିଂହପୁର ଜିଲ୍ଲାର ବ୍ଲକ୍ ଏହାର ଅଧୀନରେ ରହିଛି।
ସେହିପରି କଟକ ଜିଲ୍ଲାର ବାଙ୍କୀ ଓ ଡମପଡ଼ା ବ୍ଲକ୍ର କିଛି ଅଂଶ ଚନ୍ଦକା ବନଖଣ୍ଡ ଓ ଖୋର୍ଦ୍ଧା ବନଖଣ୍ଡଙ୍କ ଅଧୀନରେ ରହିଛି। ଆଠଗଡ଼ ବନଖଣ୍ଡ ଅଧୀନରେ ଆଠଗଡ଼ ଉପଖଣ୍ଡ ରହିଥିବା ବେଳେ ୫ଟି ରେଞ୍ଜ ଓ ୪ଟି ବ୍ଲକ୍ ରହିଛି। ସେଗୁଡିକ ହେଲା ଆଠଗଡ଼, ତିଗିରିଆ, ବଡମ୍ବା, ନରସିଂହପୁର। ଆଠଗଡ଼ ଡିଏଫ୍ଓଙ୍କ ଅଧୀନରେ ଯେହେତୁ ଗୋଟିଏ ଉପଖଣ୍ଡ ଯାଉଛି ସେଠାରେ ବନଖଣ୍ଡରେ ସେଭଳି କୌଣସି ସମସ୍ୟା ହେଉନି। କିନ୍ତୁ କଟକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବୈଠକ ହେଉଛି, ଜିଲ୍ଲାର ଜଙ୍ଗଲ ସମସ୍ୟା, ଚାରାରୋପଣ ସ୍ଥିତି ସମୀକ୍ଷା ତଥା ବିଭିନ୍ନ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ସେଥିରେ ଜିଲ୍ଲାର ସ୍ଥିତି ଜଣାଇବା ପାଇଁ କୌଣସି ଜଣେ ଅଧିକାରୀଙ୍କ କ୍ଷମତା ରହୁନଥିବା ସବୁଠାରୁ ଚିନ୍ତାଜନକ ବିଷୟ ପାଲଟିଛି । ଏଭଳି ବ୍ୟବସ୍ଥାର ପରିବର୍ତ୍ତନ କରିବା ପାଇଁ ବର୍ଷେ ହେଲା ଯୋଜନା ଆରମ୍ଭ ହୋଇଥିଲେ ବି ତାର ରୂପରେଖ ଚୂଡ଼ାନ୍ତ ହୋଇପାରୁ ନାହିଁ।