ମହେନ୍ଦ୍ର ସିଂ ଧୋନିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ; ଅମ୍ରାପାଲି ଗ୍ରୁପ୍ ବିବାଦରେ ନିଜର ପକ୍ଷ ରଖିବାକୁ ଧୋନିଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ ପଠାଇଛନ୍ତି। ଅମ୍ରାପାଲି ଗ୍ରୁପ୍ ଏବଂ ଧୋନିଙ୍କ ମଧ୍ୟରେ ହୋଇଥିବା କାରବାର ସମ୍ପର୍କରେ ଏହି ନୋଟିସ ଜାରି କରାଯାଇଛି। ଧୋନି ଆମ୍ରାପାଲି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଥିଲେ।ତେବେ ଅମ୍ରାପାଲି ଗ୍ରୁପ୍ ନିଜର ଗ୍ରାହକଙ୍କୁ ଫ୍ଲାଟର ମାଲିକାନା ଦେବା ନେଇ ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଶୁଣାଣି ପରେ ସୁପ୍ରିମକୋର୍ଟ ଧୋନିଙ୍କୁ ନୋଟିସ ଜାରି କରିଛନ୍ତି।ସୂଚନା ମୁତାବକ, ମହେନ୍ଦ୍ର ସିଂ ଧୋନିଙ୍କୁ ଅମ୍ରାପାଲି ଗ୍ରୁପରୁ ୧୫୦କୋଟି ଟଙ୍କା ପାଇବା ପାଇଁ ଅଛି। ଏ ବିଷୟରେ ଜାଣି ଫ୍ଲାଟ କ୍ରେତାମାନେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେ ଧୋନିଙ୍କୁ ଏତେ ଟଙ୍କା ଦିଆଗଲେ ଫ୍ଲାଟ ନିର୍ମାଣ ହୋଇପାରିବ ନାହିଁ। ଏଭଳି ହେଲେ ଫ୍ଲାଟ କ୍ରେତାଙ୍କୁ ମଧ୍ୟ ଘର ଠିକ ସମୟରେ ମିଳିବ ନାହିଁ।

ଏଭଳି ପିଟିସନ ପରେ ଏହାର ଶୁଣାଣି କରି ଧୋନିଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ସୁପ୍ରିମକୋର୍ଟ ଏକ ନୋଟିସ ପଠାଇଛନ୍ତି। ଏହାପୂର୍ବରୁ ଆମ୍ରାପାଲି ଗ୍ରୁପ୍ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ମଧ୍ୟରେ ହୋଇଥିବା କାରବାର ହାଇକୋର୍ଟରେ ଥିଲା। ହାଇକୋର୍ଟ ଏକ କମିଟି ଗଠନ କରି ଏହାର ସମାଧାନର ଦାୟିତ୍ୱ ଦେଇଥିଲେ। ଏହା ପରେ ଫ୍ଲାଟ କ୍ରେତାମାନେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଏବଂ କହିଥିଲେ ଯେ ଅମ୍ରାପାଲି ଗ୍ରୁପ ପାଖରେ ଅର୍ଥ କମ୍ ଅଛି। ତେଣୁ ଆମକୁ ଫ୍ଲାଟ ମିଳିପାରୁନାହିଁ। ଯଦି ଅମ୍ରାପାଲି ଗ୍ରୁପ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଏତେ ଟଙ୍କା ଦେବ, ତା’ହେଲେ ଆମକୁ ଫ୍ଲାଟ ମିଳିବା କଷ୍ଟକର ହେବ।

Related Posts