ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ ଚିଟ୍‌; ଗୌତମ କହିଲେ, ‘ସତ୍ୟମେବ ଜୟତେ’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହିଣ୍ଡେନବର୍ଗ ମାମଲାରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆଦାନୀ ଗ୍ରୁପକୁ ମିଳିଛି କ୍ଲିନ୍‌ ଚିଟ୍‌। ଏଥିସହିତ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ ବା ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି କହିଛନ୍ତି।

ସେହିପରି ଏହି ମାମଲରେ ଏସ୍‌ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ। ତଦନ୍ତକୁ ସେବି ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ସେବି ଏକ ଦକ୍ଷ ଏଜେନ୍ସି, ସେବିର ତଦନ୍ତ ଉପଯୁକ୍ତ ଓ ନିୟମ ଅନୁଯାୟୀ ତଦନ୍ତ ହୋଇଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଭାରତର ପ୍ରମୁଖ କର୍ପୋରେଟ୍‌ ସଂସ୍ଥା ଆଦାନି ଗ୍ରୁପ୍‌ ‘ଷ୍ଟକ୍‌ ପ୍ରାଇସ୍‌’ ଜାଲିଆତି କରିଥିବା ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଆଗତ କେତେକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ତେବେ ସେୟାର ମାର୍କେଟ ରେଗୁଲେଟର ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ରୁ ୨୨ ମାମଲାରେ ତଦନ୍ତ ଶେଷ କରିସାରିଲେଣି ଏବଂ ଏବେ ଦୁଇଟି ବାକି ଅଛି। ଏହି ଦୁଇ ମାମଲାର ତଦନ୍ତ ଶେଷ କରିବା ପାଇଁ ସିଜେଆଇ ସେବିକୁ ତିନି ମାସ ସମୟ ଦେଇଛନ୍ତି।

ସେପଟେ ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପ୍‌କୁ ସୁପ୍ରିମକୋର୍ଟ କ୍ଲିନ୍‌ ଚିଟ୍‌ ଦେବା ପରେ ଆଦାନୀ ଗ୍ରୁପ ଚେୟାରମ୍ୟାନ୍‌ ଗୌତମ ଆଦାନୀ ଖୁସି ବ୍ୟକ୍ତ କରିଛନ୍ତି। ସେ ସୋଶାଲ ମିଡିଆ ଏକ୍ସ(X)ରେ ପୋଷ୍ଟ କରି ଲେଖିଛନ୍ତି, ‘ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସତ୍ୟର ଜୟ ହେଲା, ସତ୍ୟମେବ ଜୟତେ। ଆମ ସହ ଛିଡା ହୋଇଥିବା ସେହି ସମସ୍ତ ଲୋକଙ୍କ ମୁଁ କୃତଜ୍ଞ। ଭାରତର ବିକାଶ ସହ ଆମର ବିନମ୍ର ଯୋଗଦାନ ଜାରି ରହିବ। ଜୟ ହିନ୍ଦ…।’

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ନଭେମ୍ବର ୨୪ ରେ ଏହି ମାମଲାର ଶୁଣାଣି ବେଳେ ମାର୍କେଟ ରେଗୁଲେଟର ସେବି ଏବଂ ବିଶେଷଜ୍ଞ କମିଟିର ତଦନ୍ତ ଉପରେ ଉଠାଯାଇଥିବା ପ୍ରଶ୍ନକୁ ଖାରଜ କରି କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଆମେରିକାର ସର୍ଟ ସେଲର୍‌ ସଂସ୍ଥା ହିଣ୍ଡେନବର୍ଗ ୨୦୨୩ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା ​​ଯେଉଁଥିରେ ଆଦାନୀ ଗ୍ରୁପର ଅଂଶଧନକୁ ଅଧିକ ମୂଲ୍ୟ ଦିଆଯିବା ସହ ଠକେଇ ସମେତ ଗ୍ରୁପ୍ ଉପରେ ଋଣ ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠିଥିଲା। ଓକିଲ ବିଶାଳ ତିୱାରି, ଏମ୍‌. ଏଲ୍‌. ଶର୍ମା ଓ କଂଗ୍ରେସ ନେତା ଜୟା ଠାକୁର ଏବଂ ଅନାମିକା ଜୟସୱାଲ୍‌ ଏହାକୁ ନେଇ ଏକ ପିଟିସନ୍‌ ଫାଇଲ୍‌ କରିଥିଲେ।

ପିଟିସନ୍‌ରେ ଅଭିଯୋଗ କରାଯାଇଥିଲା ଯେ, ମୋଦିୀ ସରକାରଙ୍କ ଘନିଷ୍ଠ ବୋଲି ମନେ କରାଯାଉଥିବା ଆଦାନି ଗ୍ରୁପ୍‌ ତା’ର ସେୟାର୍‌ ଦର ଅସ୍ୱାଭାବିକ ଭାବେ ବୃଦ୍ଧି କରିଥିଲା। ତେଣୁ ସର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବା ପରେ ଏହି ଗ୍ରୁପ୍‌ର ବିଭିନ୍ନ କମ୍ପାନିଗୁଡ଼ିକର ସେୟାର୍‌ ଦର ହଠାତ୍‌ ହ୍ରାସ ପାଇଥିଲା। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଅଦାନୀ ଗ୍ରୁପକୁ କ୍ଲିନ ଚିଟ ପ୍ରଦାନ କରିଛନ୍ତି |

Related Posts