ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମରେ ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଅଲ ଇଣ୍ଡିଆ କୋଟା ସିଟରେ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହା ସହ ସଂରକ୍ଷଣ ଓ ଯୋଗ୍ୟତା ପରସ୍ପର ବିପରୀତ ନୁହେଁ । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ଦୀର୍ଘଦିନ ଧରି ନିଟ ମେଡିକାଲ ନାମଲେଖାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ଆଲୋଚନା ଚାଲିଥିଲା । ଏପରିକି ଡାକ୍ତରୀ ପାଠ ପଢ଼ାରେ ଯୋଗ୍ୟତା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ, ସଂରକ୍ଷଣ ନୁହଁ ବୋଲି ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଏହା ପରେ କେନ୍ଦ୍ରସରକାରଙ୍କ ଦ୍ୱାରା ୨୭ ପ୍ରତିଶତ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲଶ ଚାଲିଥିଲା । ଅନ୍ୟପଟେ ଏନେଇ ଦେଶର ସର୍ବୋଚ୍ଚ କୋର୍ଟ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ଅଲ ଇଣ୍ଡିଆ କୋଟାରେ ୨୭ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତା ରହିଛି । ତେଣୁ କେନ୍ଦ୍ର ଏପରି ସଂରକ୍ଷଣ ଦେବା ପାଇଁ କୋର୍ଟର ଅନୁମତି ନେବା ଆବଶ୍ୟକ ନୁହେଁ ।
ଏହା ସହ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ପୂର୍ବରୁ ନେଇଥିବା ନିଷ୍ପତ୍ତି ଠିକ ବୋଲି ସୁପ୍ରିମକୋର୍ଟରେ ଜଷ୍ଟିସ ଡିଏ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଏସ ବୋପାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି । ଅନ୍ୟପଟେ ଯୋଗ୍ୟତା ସହ ସଂରକ୍ଷଣ ମଧ୍ୟ ଦିଆଯାଇପାରିବ । ଏହି ନିଷ୍ପତ୍ତିକୁ ଭୁଲ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । କାହିଁକିନା ସଂରକ୍ଷଣ ଏବଂ ଯୋଗ୍ୟତା ପରସ୍ପର ବିପରୀତ ନୁହେଁ । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ନିକଟରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବା ଇଡବ୍ଲୁଏସ୍ ବର୍ଗଙ୍କୁ କାଉନସେଲିଂରେ ସଂରକ୍ଷଣ ଦେବାକୁ ଅନୁମତି ଦେଇଛନ୍ତି । ସେପଟେ କୋଟା ଉପରୁ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଶୀଘ୍ର ଶୁଣାଣି କରିବା ପାଇଁ ପ୍ରଧାନ ବିଚାରପତିଙ୍କୁ ଦାବି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷକରି ଛାତ୍ରମାନେ ଏହି ପଦକ୍ଷେପକୁ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି ।