୨୦୨୨-୨୩ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡିକାଲ କଲେଜ : ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ସୁନ୍ଦରଗଡ଼ରେ କାର୍ଯ୍ୟକାରୀ ହେବ ମେଡିକାଲ କଲେଜ । ଏ ସମ୍ପର୍କରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସୁନ୍ଦରଗଡ଼ରେ ମେଡିକାଲ କଲେଜ ହେବା ନେଇ ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। 

୧୦୦ ସିଟ୍ ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାମ ଆରମ୍ଭ ହୋଇଛି । ଏଥିରେ ୨୭୧ଜଣ ଟିଚିଙ୍ଗ୍ ଓ ନନ୍-ଟିଚିଙ୍ଗ୍ ଷ୍ଟାଫ ରହିବେ । ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ମେଡିକାଲ କଲେଜ ପ୍ରସ୍ତୁତି କରାଯାଉଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ରାଜ୍ୟ ସରକାର ମେଡିକାଲ ସିଟ୍ ପାଇଁ ଆବେଦନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ପଶ୍ଚିମ ଓଡ଼ିଶାରେ ଦୀର୍ଘ ଦିନ ଧରି ଦାବି ଉଠି ଆସୁଥିବା ଦ୍ବିତୀୟ ଦ୍ୱିତୀୟ ଏମସ୍  ଉପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଉତ୍ତର ରଖିଛନ୍ତି । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଉପରେ ମନ୍ତ୍ରୀ କହିଛନ୍ତି ଯେ , ବିଗତ ପାଞ୍ଚ ବର୍ଷ ହେବ କେନ୍ଦ୍ର ସରକାର ଏ ଦିଗରେ କୌଣସି ବି ପଦକ୍ଷେପ ନେଇ ନାହାନ୍ତି। ଦ୍ଵିତୀୟ ଏମ୍ସ ନେଇ ରାଜ୍ୟ ସରକାର ୨୦୦ ଏକର ଜମି ଏବଂ ଡିଏମଫ ଫଣ୍ଡରୁ ଟଙ୍କା ଏବଂ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିବା ନେଇ ଗୃହରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। 

ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ ଖର୍ଚ୍ଚର ହିସାବ ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ  , ୨୦୨୧ ଅଗଷ୍ଟ ସୁଦ୍ଧା ୧ ହଜାର ୪୦ କୋଟି ୧୯ ଲକ୍ଷ ୨୭ ହଜାର ୬୦୫ ଟଙ୍କା କୋଭିଡ୍ ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି। ଏଥିରୁ ୩୮ କୋଟି ୮୬ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି କେନ୍ଦ୍ର ସରକାର ବୋଲି ଗୃହରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Related Posts