ସାଧାରଣ ପାଠ୍ୟକ୍ରମରୁ ମୁଁହ ମୋଡୁଛନ୍ତି ଛାତ୍ରଛାତ୍ରୀ, ରାଜ୍ୟରେ ଯୁକ୍ତ ୨ର ଲକ୍ଷାଧିକ ସିଟ୍‌ ଖାଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ୨୦୬୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ୫ ଲକ୍ଷ ୯ ହଜାର ୩୫୮ ସିଟ୍‌ରେ ନାମଲେଖା ଲାଗି ରାଜ୍ୟ ସରକାର ଅନୁମତି ଦେଇଥିଲେ। ମାଟ୍ରିକ୍ ପରୀକ୍ଷାରେ ଅଧିକ ପାସ୍ ହାର ଓ ଉଚ୍ଚଶିକ୍ଷା ପାଇଁ ପିଲାଙ୍କ ଆଗ୍ରହକୁ ଦେଖି ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା। ମାତ୍ର ୪ଟି ପର୍ଯ୍ୟାୟ ନାମଲେଖା ଶେଷ ପରେ ମଧ୍ୟ ଯୁକ୍ତ୨ରେ ଲକ୍ଷାଧିକ ସିଟ୍‌ ଖାଲି ପଡ଼ିଛି।

କଳା ବିଭାଗର ଅଧିକାଂଶ ସିଟ୍‌ ପୂରଣ ହୋଇଥିବା ବେଳେ ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ପୂର୍ବ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଖାଲି ପଡ଼ିଛି। ତେବେ ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି ବିଜ୍ଞାନରେ ଖାଲି ପଡ଼ୁଥିବା ସିଟ୍‌। ବିଗତବର୍ଷ ତୁଳନାରେ ଏଥର ଅଧିକାଂଶ ଛାତ୍ରଛାତ୍ରୀ ମାଟ୍ରିକ୍‌ରେ ଭଲ ମାର୍କ ରଖି ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜ୍ଞାନ ପଢ଼ିବାକୁ ଆଗ୍ରହ ଦେଖାଇ ନାହାନ୍ତି। ଯେଉଁଥିପାଇଁ ଏବର୍ଷ ପାଖାପାଖି ୫୦ ହଜାର ବିଜ୍ଞାନ ସିଟ୍‌ ବଳକା ରହିଛି। କେତେକ ଘରୋଇ ବିଜ୍ଞାନ କଲେଜରେ ୫ରୁ କମ୍‌ ପିଲା ନାମ ଲେଖାଇଛନ୍ତି। ପ୍ରମୁଖ ସରକାରୀ କଲେଗୁଡ଼ିକର ସିଟ୍‌ ପୂରଣ ହୋଇଥିଲେ ମଧ୍ୟ ସାମ୍‌ସ ମାଧ୍ୟମରେ ହେଉଥିବା ନାମଲେଖା ପ୍ରକ୍ରିୟା ଯୋଗୁଁ ପିଲାମାନେ ନିଜ ପସନ୍ଦର କଲେଜ ପାଇପାରୁ ନାହାନ୍ତି ଏବଂ ବାଧ୍ୟ ହୋଇ ଅଧାରୁ ପାଠପଢ଼ା ଛାଡ଼ୁଛନ୍ତି।

ସାମ୍‌ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟର ୪ ଲକ୍ଷ ୬ହଜାର ୭୦୦ ଯୁକ୍ତ ଦୁଇ ସିଟ୍‌ ପୂରଣ ହୋଇଛି। କଳା ବିଭାଗରେ ମୋଟ ୨ ଲକ୍ଷ ୭୭ ହଜାର ୩୭୮ ସିଟ୍‌ ମଧ୍ୟରୁ ୨୭ ହଜାର ୨୩ ସିଟ୍‌ ବଳକା ରହିଛି। ବିଜ୍ଞାନ ବିଭାଗରେ ୧ ଲକ୍ଷ ୬୩ ହଜାର ୩୦୪ ସିଟ୍‌ ମଧ୍ୟରୁ ୪୯ ହଜାର ୫୨୬ ଖାଲି ପଡ଼ିଥିବା ବେଳେ ବାଣିଜ୍ୟରେ ୪୫ ହଜାର ୫୨୬ ସିଟ୍‌ ମଧ୍ୟରୁ ୧୮ ହଜାର ୫୩ ସିଟ୍‌ରେ କେହି ନାମ ଲେଖାଇ ନାହାନ୍ତି। ସଂସ୍କୃତ ବିଭାଗରେ ୧୩ ହଜାର ୩୩୨ ସିଟ୍‌ ମଧ୍ୟରୁ ୯ ହଜାର ୪୧୩ ପୂରଣ ହୋଇଛି। ଧନ୍ଦାମୂଳକ ବିଭାଗରେ ୧୦ ହଜାର ୧୨ ସିଟ୍‌ ମଧ୍ୟରୁ ୪ ହଜାର ୧୩୭ ସିଟ୍‌ ବଳକା ରହିଛି। ଏବେ ୧ ଲକ୍ଷ ୨ ହଜାର ୬୫୮ ସିଟ୍‌ ବଳକା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରତି ପିଲାମାନେ ସେତେଟା ଆଗ୍ରହ ଦେଖାଉ ନାହାନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ୪୦%ରୁ ଅଧିକ ସିଟ୍‌ ଖାଲି ପଡ଼ୁଛି। ତା’ପରେ ବି ରାଜ୍ୟ ସରକାର ସିଟ୍‌ ହ୍ରାସ କି ପାଠ୍ୟକ୍ରମ ବନ୍ଦ କରୁନାହାନ୍ତି। ବରଂ ସରକାରୀ କଲେଜରେ ପୂର୍ବଭଳି ଧନ୍ଦାମୂଳକ ବିଭାଗରେ ଶିକ୍ଷାଦାନ ଚାଲିଛି।

କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗ ପାଇଁ ଗଞ୍ଜାମରେ ସବୁଠାରୁ ଅଧିକ ୪୨ ହଜାର ୪୧୭ ସିଟ୍‌ ରହିଥିବା ବେଳେ ସେଥିରୁ ୩୩ ହଜାର ୯୩୯ ପୂରଣ ହୋଇଛି। ଆଉ ମାତ୍ର ୮ ହଜାର ୪୭୮ ସିଟ୍‌ ଖାଲି ପଡ଼ିଛି। ଖୋର୍ଧା ଜିଲ୍ଲାର ୪୧ ହଜାର ୪୫୨ ସିଟ୍‌ ମଧ୍ୟରୁ ୩୦ ହଜାର ୩୭୮, କଟକର ୩୭ ହଜାର ୩୬୨ ସିଟ୍‌ ମଧ୍ୟରୁ ୨୮ ହଜାର ୧୯୦, ବାଲେଶ୍ବରର ୩୪ ହଜାର ୯୪୮ରୁ ୨୫ ହଜାର ୭୭୯, ମୟୂରଭଞ୍ଜର ୩୦ ହଜାର ୨୬ ସିଟ୍‌ ମଧ୍ୟରୁ ୨୫ ହଜାର ୮୬୮ ସିଟ୍‌ ପୂରଣ ହୋଇଛି। ମାଲକାନଗିରିରେ ୫ ହଜାର ୨୭୪ ସିଟ୍‌ ମଧ୍ୟରୁ ୪ହଜାର୯୮୫ ସିଟ୍‌ ପୂରଣ ହୋଇଛି। ଏହି ଜିଲ୍ଲାରେ ସଂସ୍କୃତ ଓ ଧନ୍ଦାମୂଳକ ବିଭାଗ ହିଁ ନାହିଁ। କଳା ବିଭାଗରେ ମାତ୍ର ୭ଟି ସିଟ୍‌ ଖାଲି ପଡ଼ିଛି।

ଅନ୍ୟପକ୍ଷରେ ଯୁକ୍ତ୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଷ୍ଟ୍ରିମ୍‌(ବିଭାଗ) ପରିବର୍ତନ ଲାଗି ସୁଯୋଗ ଦିଆଯାଇଛି। ନଭେମ୍ବର ୩୦ ତଥା ବୁଧବାରଠାରୁ ଡିସେମ୍ବର ୨ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇଥିବା କଲେଜରେ ବିଭାଗ ବଦଳାଇବା ଲାଗି ଆବେଦନ କରିପାରିବେ। ଏଥିପାଇଁ ଆଜି ଉଚ୍ଚ ମା‌ଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Posts