ଓଡ଼ିଶା ସରକାରଙ୍କ ୟୁ-ଟ୍ୟୁବ୍ ପାଠ ବାହାସ୍ପୋଟକୁ ଶକ୍ତ ଚାପୁଡ଼ା; ମାତ୍ର ୨ ପ୍ରତିଶତ ସ୍କୁଲରେ ଅଛି ଇଣ୍ଟରନେଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀ କାରଣରୁ ଏବେ ସାରା ରାଜ୍ୟରେ ସ୍କୁଲ୍ ବନ୍ଦ । ରାଜ୍ୟ ସରକାର ଏବେ ୟୁ-ଟ୍ଯୁବ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ବ୍ଯବସ୍ଥା କରିଛନ୍ତି। ତେବେ ନେଟୱାର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାହାଡ ଚଢିବା ଠାରୁ ଗଛରେ ବସି ଅନଲାଇନ୍ କ୍ଲାସ୍ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ସମସ୍ତଙ୍କ ପାଖରେ ମଧ୍ୟ ଆଣ୍ଡ୍ରଏଡ୍ ଫୋନ୍ ନଥିବା କାରଣରୁ ଅନେକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏହାରି ଭିତରେ ଗତକାଲି କେନ୍ଦ୍ର ସରକାର ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜେକେସନ ପ୍ଲସ (UDISE +)ର ସର୍ଭେ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମାତ୍ର ୨ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ କନେକ୍ସନ ରହିଛି। ଓଡ଼ିଶାରେ ୫୩ ହଜାର ୨୬୦ଟି ସରକାରୀ ବିଦ୍ୟାଳୟ ରହିଥିବା ବେଳେ ସେଥିମଧ୍ୟରୁ ୮,୬୧୫ଟି ବିଦ୍ୟାଳୟରେ କମ୍ପ୍ୟୁଟର ରହିଛି। ୮,୫୦୦ଟି କମ୍ପ୍ୟୁଟର ବ୍ୟବହାର ହେଉଛି। ଅର୍ଥାତ ମୋଟ୍ ସ୍କୁଲର ୧୬.୧୮ ପ୍ରତିଶତ ସରକାରୀ ସ୍କୁଲରେ କମ୍ପ୍ୟୁଟର ରହିଛି। ମାତ୍ର ୧,୪୫୦ (୨.୭୨ ପ୍ରତିଶତ) ଟି ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ କନେକ୍ସନ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏହି ରିପୋର୍ଟ ଅନୁଯାୟୀ ୨,୨୩୧ ପ୍ରାଇଭେଟ୍ ସ୍କୁଲ ମଧ୍ୟରୁ ୩୫ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି । ୨୦୧୮-୧୯ ଶିକ୍ଷା ବର୍ଷରେ ମୋଟ୍ ୮.୭ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ଥିବାବେଳେ ୮.୨୬ ସ୍କୁଲରେ ଇଣ୍ଟରନେଟ କନେକ୍ସନ ରହିଥିଲା। UDISE + ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷରେ ଓଡିଶା ସରକାର ୮ ହଜାର ପ୍ରାଇମେରୀ ସ୍କୁଲକୁ ବନ୍ଦ କରିଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ ୨୦୧୮-୧୯ ଶିକ୍ଷା ବର୍ଷରେ ସରକାରୀ ସ୍କୁଲରେ ମୋଟ୍ ୩,୪୦,୪୭୭ ଜଣ ଶିକ୍ଷକ ଥିବା ବେଳେ ୨୦୧୯-୨୦ ଶିକ୍ଷାବର୍ଷରେ ଶିକ୍ଷକଙ୍କ ସଂଖ୍ୟା ୨,୩୮,୫୫୦ କୁ ହ୍ରାସ ପାଇଛି । ସେହିପରି ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ୬୬:୧ ରହିଥିବା ବେଳେ ମାଧ୍ୟମିକ ସ୍ତରରେ ଏହି ଅନୁପାତ ୧୭:୬ ରହିଛି। ୨୦୧୮-୧୯ ଶିକ୍ଷା ବର୍ଷରେ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ୮୧,୦୨,୩୩୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୯-୨୦ରେ ୮୦,୩୩,୮୧୫ ଜଣ ନାମ ଲେଖାଇଥିଲେ। ସର୍ଭେ ରିପୋର୍ଟ ଅନୁଯାୟୀ ଉଭୟ ପୁଅ ଏବଂ ଝିଅଙ୍କ ନାମଲେଖା ହାର ପ୍ରାୟତଃ ସମାନ ରହିଛି। ମୋଟ୍ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୂର୍ବ ଶିକ୍ଷାବର୍ଷରେ ଓବିସି ଶ୍ରେଣୀର ୩୬.୮ ପ୍ରତିଶତ ଥିବାବେଳେ ଚଳିତ ଶିକ୍ଷାବର୍ଷରେ ଏହା ୩୬.୨ ପ୍ରତିଶତ ରହିଛି। ସେହିପରି ୨୦୧୮-୧୯ରେ ୧.୫ ପ୍ରତିଶତ ମୁସଲିମ୍ ନାମଲେଖା ଲେଖାଇଥିବା ବେଳେ ୨୦୧୯-୨୦ରେ ୨.୦୨ ପ୍ରତିଶତ ନାମ ଲେଖାଇଛନ୍ତି।

Related Posts