ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଦ୍ୟୁତ ବିଭାଗରେ ଘରୋଇକରଣ ଓ ଟାଟା ପାୱାରର ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ପଶ୍ଚିମ ଓଡିଶାରେ ଚାଷୀଂକର ଜୋରଦାର ବିରୋଧ | ବରଗଡ଼ ଜିଲ୍ଲା ପଦମପୁର ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ୧୫ ହଜାରରୁ ଅଧିକ ଚାଷୀ ନିଜ ଘରେ ଓ ଚାଷ ଜମିରେ ଲାଗିଥିବା ପ୍ରିପେଡ୍ ସ୍ମାର୍ଟ ମିଟରକୁ ଆଣି ଫୋପାଡିବା ସହ ପ୍ରତିଵାଦ କରିଛନ୍ତି | ଏହି ପ୍ରତିବାଦକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସମ୍ପୂର୍ଣ ସମର୍ଥନ କରିଛି | ଚାଷୀଙ୍କ ଅଭିଯୋଗ ଅନୁସାରେ 2020 ଡିସେମ୍ବର 9 ତାରିଖରେ ମୋଦି ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଦେଇଥିବା ପ୍ରତିଶ୍ରୁତି ବିରୋଧରେ ଯାଇ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଉଛି | ତେଣୁ ଏହାକୁ କୃଷକ ମାନେ ସମ୍ପୂର୍ଣ ବିରୋଧ କରିଛନ୍ତି | ଏହାସହିତ ଚାଷୀମାନଙ୍କ ପରିବାରକୁ ପ୍ରତି ମାସ 300 ୟୁନିଟ ମାଗଣା ବିଜୁଳି ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି |
ଅନ୍ୟପଟେ ବିଦ୍ୟୁତ ବିଭାଗରେ ଘରୋଇ କରଣକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ ଆନ୍ଦୋଳନକୁ ରାଜ୍ୟର ବିଜେପି ସରକାର ଚାପିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି | ଚାଷୀମାନେ ସ୍ବେଛାକୃତ ଭାବେ ପ୍ରିପେଡ୍ ସ୍ମାର୍ଟ ମିଟରର ବୟକଟ କରିଥିବାବେଳେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଷୀ ନେତା ରମେଶ ମହାପାତ୍ରଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି | ତୁରନ୍ତ ଏହି ମିଥ୍ୟା ମାମଲା ପ୍ରତ୍ୟାହାର କରିବା ସହିତ ଚାଷୀଙ୍କ ଦାବି ମାନି ନେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସରକାରଙ୍କୁ ଆହ୍ୱାନ ଦେଇଛି |
ସଂଗଠନ ପକ୍ଷରୁ ଆହୁରି କୁହାଯାଇଛି, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ବୀମା, ଜଳସେଚନ ସୁବିଧା ଦାବି ନେଇ ସାରା ଦେଶରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନରେ ଏବେ ବିଦ୍ୟୁତ ବିଲ୍ ନାଁରେ ହେଉଥିବା ଲୁଟ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି | ବରଗଡରେ ଟାଟା ପାୱାରର ପ୍ରିପେଡ୍ ସ୍ମାର୍ଟ ମିଟରର ବୟକଟ ଏହାର ଏକ ଜ୍ୱଳନ୍ତ ଉଦାହରଣ | ବିଦ୍ୟୁତ ବିଭାଗରେ ଘରୋଇକରଣ ନେଇ 2020 ଡିସେମ୍ବର 9 ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି | ଏଥିସହିତ ବିଦ୍ୟୁତ ବିଭାଗରେ ଘରୋଇକରଣକୁ ବିରୋଧ କରି ଆସନ୍ତା ନଭେମ୍ବର 26 ତାରିଖରେ ଦେଶର ପ୍ରତି ଜିଲ୍ଲାରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଛି |