ଧାମରାଠୁ ୧୮୦ କିମି ଦୂରରେ ବାତ୍ୟା; ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳ ମୁହାଁ ‘ଦାନା’

ଭୁବନେଶ୍ୱର,୨୪/୧୦(ସତ୍ୟପାଠ ବ୍ୟୁରୋ):  ବାତ୍ୟା ଦାନା ଯେତିକି ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ଛନକା ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଧାମରା ଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟାର ଦାନା । ୧୦ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି । ଗତ ୬ ଘଣ୍ଟା ହେବ ବାତ୍ୟାର ଗତି ସମାନ ରହିଛି । ପାରାଦ୍ବୀପ ଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା ।

ସେହିପରି ଧାମରା ଠାରୁ ୧୮୦ କିଲୋମିଟର ଦୂରରେ ରହିଥିବା ବେଳେ ସାଗର ଦ୍ବୀପ ଠାରୁ ୨୫୦ କିଲୋମିଟର ଦୂରରେ ରହିଛି । ପାରାଦ୍ବୀପ ଡପଲର ରାଡାରରୁ ବାତ୍ୟା ଦାନା ଉପରେ ନଜର ରଖାଯାଇଛି ।

ଆକଳନ ଅନୁସାରେ, ଆଜି ରାତି ୩ଟାରୁ ଭୋର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇପାରେ । ଯଦି ବାତ୍ୟାର ବେଗ କମ୍ ହୁଏ ତାହେଲେ ଲ୍ୟାଣ୍ଡଫଲ ସମୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଦାନା । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ସମୁଦ୍ରରେ ପବନର ବେଗ ୯୫-୧୦୦ କିଲୋମିଟର ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦-୧୨୦ କିଲୋମିଟର ରହିପାରେ । ୨୪ ତାରିଖ ଏବଂ ୧୫ ତାରିଖ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

Related Posts