ପଥର ମାଫିଆଙ୍କ ଗୁଣ୍ଡାରାଜ: ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା

ଚଣ୍ଡିଗଡ: ହରିୟାଣା ନୂହଁରେ ପଥର ମାଫିଆଙ୍କ ଗୁଣ୍ଡାରାଜ । ପଥର ମାଫିଆଙ୍କୁ ଧରିବାକୁ ଯାଇଥିବା ଡିଏସ୍‌ପିଙ୍କ ଉପରେ ଚଢ଼ାଉ ଦେଲେ ଡମ୍ପର । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ।

ସୂଚନାଯୋଗ୍ୟ, ପୂର୍ବ ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଛନ୍ତି ପଥର ମାଫିଆ। ଘଟଣାସ୍ଥଳରେ ହିଁ ଡିଏସ୍ପିଙ୍କ ମୃତ୍ୟୁ ହୋଇଛି। ରାସ୍ତାକଡ଼ରେ ଡିଏସ୍‌ପିଙ୍କ ମୃତଦେହ ପଡ଼ିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ପୁଲିସ।

ପୁଲିସର କହିବା ମୁତାବକ, ନୂହଁ ଜିଲ୍ଲାର ତାବଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଗାଁ ପଚଗାଓଁର ଏହି ଘଟଣା। ଡିଏସପି ସୁରେନ୍ଦ୍ର ସିଂ ଗ୍ରାମକୁ ଲାଗିଥିବା ଅରବାଲି ପାହାଡରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ। ଏହା ପରେ ସେ ମଙ୍ଗଳବାର ଦିନ ତାଙ୍କ ଟିମ ସହ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଟିମ୍ ଦେଖି ଟ୍ରକ ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଟ୍ରକ ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଫଳରେ ଟ୍ରକର ଚକା ତଳେ ଚାପି ହୋଇ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି ପୁଲିସ । ତେବେ ଏପରି ବର୍ବର କାଣ୍ଡ ଘଟାଇବାରେ ପଥର ମାଫିଆଙ୍କର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠିକାର ମାଫିଆମାନେ ସ୍ପୋଶାଲ ଏନଫୋର୍ସମେଣ୍ଟ ଟିମ୍ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

Related Posts