ବିଦ୍ୟୁତ ଚାଳିତ ଯାନ କିଣିଲେ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର : ଦୁଇ ଚକିଆ ପାଇଁ ୫ ହଜାର, ଚାରି ଚକିଆ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ମଡେଲକୁ ଆପଣାଇବେ ଓଡ଼ିଶା ସରକାର । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଇ ପ୍ରୋତ୍ସାହନ ଯୋଗାଇବେ ସରକାର । ବିଦ୍ୟୁତ ଚାଳିତ ଯାନ କିଣୁଥିବା ଲୋକ ମାନଙ୍କୁ ରାଜ୍ୟ ସରକାର ରିହାତି ଯୋଗାଇଦେବେ । 

ମିଳିଥିବା ସୂଚନା ମୁତାବକ ଦୁଇ ଚକିଆ ବିଦ୍ୟୁତ୍ ଚାଳିତ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଏବଂ ତିନି ଚକିଆ ଯାନ ପାଇଁ ୧୨ ହଜାର ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି। ସେହିପରି ୪ ଚକିଆ ବିଦ୍ୟୁତ ଚାଳିତ ଯାନ ଗୁଡ଼ିକ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କାର ରିହାତି ଯୋଗାଇ ଦେବେ ରାଜ୍ୟ ସରକାର। ସରକାରୀ ଅଫିସ୍ ଓ କମ୍ପାନି ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ  । 

ରାଜ୍ୟ ସରକାର ଏ ନେଇ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି । ଏହା ସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ସବୁ ସୁବିଧା ଯୋଗାଇଦେବେ ବୋଲି ଜଣାପଡ଼ିଛି ।

ବିଦ୍ୟୁତ ଚାଳିତ ଯାନ କିଣିବା ନେଇ ପ୍ରୋତ୍ସାହିତ କରିବା ସହ ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରିବେ ସରକାର । ଏହା ସାଙ୍ଗକୁ ଯଦି କୌଣସି ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣନ୍ତି ତେବେ ସେମାନଙ୍କୁ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ସୂଚନା ମିଳିଛି। ଆଗାମୀ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଇ-ଯାନ ନୀତି ଆସିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts