ଆର୍ଥିକ ସଙ୍କଟରୁ ମୁକୁଳିବ ଶ୍ରୀଲଙ୍କା! ଜରୁରୀ ସହାୟତା ଯୋଗାଇବ ବିଶ୍ୱବ୍ୟାଙ୍କ

କଲୋମ୍ବୋ : ଶ୍ରୀଲଂକା ଏବେ ଘୋର ଅର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ଶ୍ରୀଲଙ୍କା ସ୍ଥିତି ଜଟିଳ ଥିବା ବେଳେ, ୱାସିଂଟନରେ ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଅଲୀ ସାବରୀଙ୍କ ସହିତ ବିଶ୍ୱବ୍ୟାଙ୍କ ଉପାଧ୍ୟକ୍ଷ ହାର୍ଟୱିଗ୍ ସେଫର ଆଲୋଚନା କରିଛନ୍ତି।

ମଙ୍ଗଳବାରର ଏହି ସାକ୍ଷାତ ଆଲୋଚନା ସମ୍ପର୍କରେ କଲମ୍ବୋ ଗେଜେଟ୍‌ରେ ବୁଧବାର ପ୍ରକାଶିତ ହୋଇଛି। ସାବ୍ରୀ ଏବେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଓ ବିଶ୍ୱବ୍ୟାଙ୍କଙ୍କ ଆନୁଆଲ ସ୍ପ୍ରିଂ ମିଟିଂ ଲାଗି ୱାସିଂଟନରେ ଥିବା ବେଳେ ଏହି ସାକ୍ଷାତ ଆଲୋଚନା ହୋଇଛି। ଏଥିରେ ସାବରୀ ଓ ସେଫର ଆର୍ଥିକ ସଂକଟ ଦୂର କରିବା ଲାଗି ବିଭିନ୍ନ ଉପାୟ, ସ୍ଥିରିକରଣ ନିମନ୍ତେ ସହାୟତା ଓ ଆର୍ଥିକ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଲାଗି ଆଲୋଚନା କରିଛନ୍ତି। ଏଥିରେ ବିଶ୍ୱବ୍ୟାଙ୍କ ଆର୍ଥିକ ଦୁର୍ବଳ ଓ ଗରିବ ଲୋକଙ୍କ ଉପରେ ସଂକଟର ପ୍ରଭାବକୁ ନେଇ ବିଶେଷ ଚିନ୍ତିତ ଥିବା ସେଫର କହିଛନ୍ତି।

ଏଣୁ ଔଷଧ, ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଗାଣ, ପୋଷଣ ତଥା ଶିକ୍ଷା ଲାଗି ଜରୁରି କାଳୀନ ସହାୟତା ନିମନ୍ତେ ବିଶ୍ୱବ୍ୟାଙ୍କ ପ୍ରସ୍ତୁତ ବୋଲି ସେଫର କହିଥିବା ଗେଜେଟ୍‌ର ସୂଚନାରୁ ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେ ତାଙ୍କ ଭୁଲ ସ୍ୱୀକାର କରିଛନ୍ତି, ଯେଉଁଥି ପାଇଁ ଦେଶ ଗତ ଦଶକର ସବୁଠୁ ଆର୍ଥିକ ଦୁଃସ୍ତିତିରେ ଘେରି ଯାଇଛି। ନିଜର ଭୁଲଗୁଡିକୁ ସୁଧାରିବା ପାଇଁ ରାଷ୍ଟ୍ରପତି ସଂକଳ୍ପ ମଧ୍ୟ କରିଛନ୍ତି। ରାଜପକ୍ଷେ ସୋମବାର ୧୭ ମନ୍ତ୍ରୀଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଏହି ନୂଆ କ୍ୟାବିନେଟରେ ତାଙ୍କ ପରିବାରର କେବଳ ଜଣେ ସଦସ୍ୟ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ସାମିଲ କରିଛନ୍ତି। ଏହି ନୂଆ କ୍ୟାବିନେଟ ଆଗରେ ରାଷ୍ଟ୍ରପତି ତାଙ୍କ ଭୁଲ ସ୍ୱୀକାର କରିବା ସହ ଏ ଗୁଡିକର ସୁଧାର ପାଇଁ ସଂକଳ୍ପ କରିଛନ୍ତି ।

Related Posts