ସଙ୍କଟରେ ଶ୍ରୀଲଂକା: ପେଟ୍ରୋଲ ଓ ଡିଜେଲ ଲିଟର ପିଛା 50 ଓ 60 ଟଙ୍କାକୁ ବୃଦ୍ଧି

କଲମ୍ବୋ : ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ପୁଣି ତୈଳ ଦର ବଢିଛି। ଫଳରେ ପେଟ୍ରୋଲ ଲିଟର ପିଛା ଦର ଶ୍ରୀଲଙ୍କା ମୁଦ୍ରାରେ ୪୭୦ ଟଙ୍କାକୁ ପହଞ୍ଚିଥିବା ବେଳେ ଡିଜେଲ ଦର ୪୬୦ ଟଙ୍କା ହୋଇଯାଇଛି।

ରବିବାର ପ୍ରତ୍ୟୁଷରେ ଏହି ଦରବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟର ପିଛା ୫୦ ଓ ଡିଜେଲ ଲିଟର ପିଛା ୬୦ ଟଙ୍କା ମହଙ୍ଗା ହୋଇଛି। ଉପୁଜିଥିବା ପରିସ୍ଥିତିରେ ତୈଳ ଦର ବୃଦ୍ଧି ବ୍ୟତୀତ ସରକାରଙ୍କ ନିକଟରେ ଅନ୍ୟ କୌଣସି ପନ୍ଥା ନାହିଁ।

ସୂଚନାଯୋଗ୍ୟ, ଗତ ଦୁଇ ମାସରେ ଏହା ତୃତୀୟ ମୂଲ୍ୟବୃଦ୍ଧି। ସାର୍ବଜନିକ କ୍ଷେତ୍ରର ତୈଳ ବିକ୍ରେତା ସିଲୋନ ପେଟ୍ରୋଲିୟମ କର୍ପୋରେସନ ( ସିପିସି) ରବିବାର ରାତି ୨ଟାରେ ଏହି ମୂଲ୍ୟବୃଦ୍ଧି କରିଥିବା ଘୋଷଣା କରିଛନ୍ତି। ସିପିସିଙ୍କ ଅନୁସାରେ ଲଙ୍କା ଆଇଓସି ମଧ୍ୟ ମୂଲ୍ୟବୃଦ୍ଧି କରିଛନ୍ତି।

ଗତ ମେ ମାସରେ ମଧ୍ୟ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା। ମେ ୨୨ ତାରିଖ ଦିନ ପେଟ୍ରୋଲିୟମ କମ୍ପାନୀମାନେ ପେଟ୍ରୋଲ ଲିଟର ପିଛା ୨୪.୩ ପ୍ରତିଶତ ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୩୮.୪ ପ୍ରତିଶତ ବୃଦ୍ଧି କରିଥିଲେ।

ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଦେଶର ଆମଦାନୀ କ୍ଷମତା ହ୍ରାସ କରିଛି। ଏଣୁ ଯେତିକି ଆମଦାନୀ ହେଉଛି ସେହି ଅନୁସାରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲିୟମ ମୂଲ୍ୟ ଆକାଶ ଛୁଇଁଛି। ମେ ମାସରେ ଉପଯୋଗରେ ଆସୁଥିବା ଅକ୍ଟେନ ୯୨ ପେଟ୍ରୋଲ ଲିଟର ପିଛା ଦର ୪୨୦ ଟଙ୍କା ଅର୍ଥାତ ୧.୧୭ ଡଲାରକୁ ପହଞ୍ଚିଥିବା ବେଳେ ଡିଜେଲ ୪୦୦ ଟଙ୍କା ଅର୍ଥାତ ୧.୧୧ ଡଲାରକୁ ଛୁଇଁଥିଲା। ଦେଶରେ ପେଟ୍ରୋଲ ଓ ଡିଜେଲର ଚାହିଦା ଏବଂ ଯୋଗାଣ ସନ୍ତୁଳିତ ହୋଇପାରୁନଥିବାରୁ ଲୋକେ ପେଟ୍ରୋଲ ପମ୍ପମାନଙ୍କରେ ତୈଳ ଲାଗି ଧାଡି ବାନ୍ଧୁଥିବା ଦେଖାଯାଇଛି। ଲୋକେ ଜାରକିନ ଓ ବଡବଡ ଡ୍ରମ ସହ ଧାଡି ବାନ୍ଧୁଥିବା ବେଳେ ଗାଡିମାନେ ମଧ୍ୟ ଦୀର୍ଘ ଧାଡିରେ ରହୁଛନ୍ତି। ଏପରିକି ଲୋକଙ୍କୁ ଦିନ ଦିନ ଧରି ଧାଡିରେ ଛିଡା ହେବାକୁ ପଡୁଛି।

Related Posts