କଲମ୍ବୋ: ଘୋର ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଛି ଶ୍ରୀଲଂକା । ଆର୍ଥିକ ସଙ୍କଟକୁ ନେଇ ଦେଶରେ ଦେଖା ଦେଇଥିବା ଅଶାନ୍ତ ପରିବେଶ ଏବେ ଉଗ୍ର ରୂପ ଧାରଣ କରିଛି । ହିଂସା, ପ୍ରତିବାଦ ବଢ଼ିବାକୁ ଲାଗିଛି । ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଆହୁରି ସଂଘିନ ହୋଇପଡିଛି । ଦୁଇ ଦିନ ହେଲା ଦେଶରେ କେବଳ ହିଂସା, ମାରପିଟ ଓ ପୋଡ଼ାଜଳା ଦେଖିବାକୁ ମିଳୁଛି।
ସେପଟେ ବଢୁଥିବା ହିଂସା ଓ ଜନ ଅସନ୍ତୋଷ କୁ ଦେଖି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦେଇଥିଲେ । ମାତ୍ର ହିଂସାକାଣ୍ଡ ଥମିବାର ନାଁ ଧରୁନି। ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ୮ ଜଣଙ୍କ ଜୀବନ ମଧ୍ୟ ଯାଇଛି।
ଦେଶରେ ବଢ଼ୁଥିବା ହିଂସାକାଣ୍ଡ ପାଇଁ ବିକ୍ଷୋଭକାରୀମାନେ ମହିନ୍ଦା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି। ଏଥିସହ ତାଙ୍କୁ ଗିରଫ ଦାବିରେ ଆଜି ଆହୁରି ପୋଡ଼ାଜଳା କରିଛନ୍ତି। ଜୀବନ ବିକଳରେ ମହିନ୍ଦା ରାଜପକ୍ଷ ପରିବାର ସଦସ୍ୟଙ୍କୁ ଧରି ଦେଶର ନୌସେନା ବେଶରେ ଆତ୍ମଗୋପନ କରିଛନ୍ତି।
ଏପଟେ ହିଂସାକାଣ୍ଡ ବଢ଼ୁଥିବାରୁ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ସେନା ଓ ପୁଲିସ୍କୁ ସ୍ୱତନ୍ତ୍ର କ୍ଷମତା ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋକାରୀଙ୍କୁ ଗୁଳି ମାଡ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ଆଶା କରିଛନ୍ତି।
ଶ୍ରୀଲଙ୍କାରେ ସୋମବାର ସକାଳୁ ହିଁ ହିଂସା ସୃଷ୍ଟି ହୋଇଥିଲା। ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ଏପ୍ରିଲ ୯ରୁ ରାଷ୍ଟ୍ରପତିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରୁଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିଥିଲା। ଏଥିସରେ ପ୍ରାୟ ୧୭୩ ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ। ସନ୍ଧ୍ୟା ସମୟରେ ସ୍ଥିତି ଆହୁରି ଉତ୍କଟ ହୋଇଥିଲା। ଆକ୍ରମଣର ଶିକାର ହୋଇଥିବା
ବିକ୍ଷୋଭକାରୀମାନେ ସନ୍ଧ୍ୟାରେ ଏକାଠି ହୋଇ ଏକାଧିକ ବସ୍ରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାପା ମା’ଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ସ୍ମୃତିପୀଠକୁ ମଧ୍ୟ ଭାଙ୍ଗି ଦେଇଥିଲେ। ବିକ୍ଷୋଭକାରୀମାନେ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।
ମହିନ୍ଦା ରାଜପକ୍ଷଙ୍କ ପୈତୃକ ବାସଭବନକୁ ବୋମା ମାଡ଼ କରିବା ସହ ସେଠାରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ହିଂସାକାଣ୍ଡ ଯୋଗୁ ଗତକାଲି ଜଣେ ସାଂସଦଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।