କ୍ରିକେଟରୁ ଅବସର ଘୋଷଣା କଲେ ଶ୍ରୀସନ୍ଥ

ଭାରତୀୟ ଦଳର ସଦସ୍ୟ ଏସ ଶ୍ରୀସନ୍ଥ ଏକ ବଡ଼ ଘୋଷଣା କରିଛନ୍ତି । ସେ ଭାରତୀୟ କ୍ରିକେଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି।
୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ବିଶ୍ଵ କପ୍ ବିଜେତା ଶ୍ରୀସନ୍ଥ । ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିବା ବେଳେ, ସେ ନିକଟରେ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିଲେ। ଆହତ ହେବା ପରେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଏଥର ଆଇପିଏଲ ୨୦୨୨ ନିଲାମୀରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାଁନ୍ତି ।

ଶ୍ରୀସନ୍ଥ ସାମାଜିକ ଗଣମାଧ୍ୟମରେ ନିଜର ଅବସର ଘୋଷଣା ବିଷୟରେ ବୁଧବାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ପରବର୍ତ୍ତୀ ପିଢିର କ୍ରିକେଟ୍‌ରଙ୍କ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅଲବିଦା ନେବାକୁ ନିଷ୍ପତ୍ତି ନେଇଛି। ଏହା ମୋ ବ୍ୟକ୍ତିଗତ ନିର୍ଣ୍ଣୟ। ମୁଁ ଜାଣିଛି ଯେ, ଏଥିରେ ମୋତେ ଖୁସି ମିଳିବ ନାହିଁ। ମାତ୍ର ଏହି ନିର୍ଣ୍ଣୟ ନେବା ପାଇଁ ଏହା ଉପଯୁକ୍ତ ସମୟ।

ଶ୍ରୀସନ୍ଥ ଭାରତ ପାଇଁ ୨୭ ଟେଷ୍ଟ ଏବଂ ୫୩ଟି ଦିନିକିଆ ଖେଳି କ୍ରମଶଃ ୮୭ ଏବଂ ୭୫ ଓ୍ଵିକେଟ୍ ନେଇଛନ୍ତି। ଏଥିସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ଟି ମ୍ୟାଚ୍ ଖେଳି ୭ ଓ୍ଵିକେଟ୍ ନେଇଛନ୍ତି। ଶ୍ରୀସନ୍ଥଙ୍କ ଉପରେ ମ୍ୟାଚ୍ ଫିକ୍ସିଂ କାରଣରୁ ୨୦୧୩ରୁ ଆଜୀବନ କଟକଣା ଲଗାଯାଇଥିଲା। ମାତ୍ର ଦୁଇ ବର୍ଷ ପରେ ସ୍ଵତନ୍ତ୍ର କୋର୍ଟ ଶ୍ରୀସନ୍ଥଙ୍କୁ ମୁକ୍ତ କରିଥିଲେ। ଏହା ପରେ ୨୦୧୯ରେ ବିସିସିଆଇର ଲୋକପାଳ ଡିକେ ଜୈନ ମଧ୍ୟ ତାଙ୍କର ପ୍ରତିବନ୍ଧକୁ ହ୍ରାସ କରି ୭ ବର୍ଷ କରିଥିଲେ। ଯାହା ୨୦୨୦ରେ ସମାପ୍ତ ହୋଇଥିଲା

Related Posts