ଖୁବଶୀଘ୍ର ଗୁଜୁରାଟ କଂଗ୍ରେସ ବିଜେପିରେ ବିଲୟ ହେବାକୁ ଯାଉଛି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନର୍ବାଚନ ପାଖଉଥିବାବେଳେ ରାଜ୍ୟରେ ନିର୍ବାଚନୀ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଗୁଜୁରାଟ ଗସ୍ତରେ ଥିବା ଆମ ଆଦ୍‌ମୀ ପାର୍ଟି(ଆପ) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁଜୁରାଟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଗୁଜୁରାଟରେ ଶାସନରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ମଧୁଚନ୍ଦ୍ରିକା ଜାରି ରହିଛି । ଖୁବଶୀଘ୍ର କଂଗ୍ରେସ ବିଜେପିରେ ବିଲୟ ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି ।କଂଗ୍ରେସର ଅସ୍ଥିତ୍ବ ଉପରେ ପ୍ରଶ୍ନ କରି କେଜ୍ରିଓ୍ବାଲ କହିଛନ୍ତି, ”ଚଳିତ ବିଧାନସଭା ନର୍ବାଚନରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀତା ବିଜେପି ଓ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି । ଖୁବଶୀଘ୍ର ଗୁଜୁରାଟ କଂଗ୍ରେସ ବିଜେପିରେ ବିଲୀନ ହେବ । ଗୁଜୁରାଟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଆସିଥିବା ଭିତିରିଆ ସମ୍ପର୍କ ଶେଷ ହେବାକୁ ଯାଉଛି । ରାଜ୍ୟ ଦୀର୍ଘ ୨୭ ବର୍ଷ ଧରି କୁଶାସନ ଦେଖି ଆସୁଛି, ଏବେ ରାଜ୍ୟରେ ଆପ ଏହାକୁ ଶେଷ କରି ବିକାଶର ଧାରା ସୃଷ୍ଟି କରିବାକୁ ଯାଉଛି ।”

ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ କେଜ୍ରିଓ୍ବାଲ ଗୁଜୁରାଟବାସୀଙ୍କୁ ତାଙ୍କ ଦିଲ୍ଲୀ ମଡେଲର ଉଦାହରଣ ମଧ୍ୟ ଦେଇଛନ୍ତି । ତାଙ୍କ ପାର୍ଟି ଗୁଜୁରାଟରେ କ୍ଷମତାକୁ ଆସିଲେ, ମାଗଣା ବିଜୁଳି ଓ ଦିଲ୍ଲୀ ମଡେଲରେ ଶିକ୍ଷା ଓ ହସ୍ପିଟାଲ ଯୋଗାଇ ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ମାସ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ରଣନୀତି ଆରମ୍ଭ କରି ସାରିଛନ୍ତି । ତେବେ ପ୍ରଥମେ ଦିଲ୍ଲୀ ଓ ପରେ ପଞ୍ଜାବରେ ସରକାର ଗଠନ କରିବା ପରେ ଏବେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଓହ୍ଲାଇବାକୁ ଯାଉଛି ଆମ ଆଦମୀ ପାର୍ଟି। ସେଥିପାଇଁ କେଜ୍ରିଓ୍ବାଲ ମଧ୍ୟ ଲଗାତାର ଗୁଜୁରାଟ ଗସ୍ତ କରି ଶାସକ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି। ଏହା ସହ ଆପ ଗୁଜୁରାଟରେ ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ଆଗରୁ ନିଜର ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Related Posts