
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପୁଅର୍ ଲେଡି’ କହିବା ପରେ ସୃଷ୍ଟି ହୋଇଛି ବିବାଦ । ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି | ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । ଏହି ଅଭିଭାଷଣ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ରାହୁଲ୍ କୌଣସି ପ୍ରତିକ୍ରିୟା ନଦେଇ ସଂସଦ ଭବନ ବାହାରକୁ ଚାଲି ଚାଲି ଯାଇଥିଲେ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କ ପାଖକୁ । ସେଠାରେ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଥିଲେ । ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । କିନ୍ତୁ ରାହୁଲ୍ ତାଙ୍କ ମାଆଙ୍କୁ ପଚାରିଥିଲେ, ଏହା ଉପରେ କ’ଣ କହିବା । ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ । ରାହୁଲ୍ କହିଥିଲେ, ‘ବୋରିଂ’ କହିବା । ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି ପ୍ରେସିଡେଣ୍ଟ’ ଶେଷରେ ଭାଷଣ ଦେଇ ଥକିଗଲେ । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା ।
ସୋନିଆଙ୍କ ଏହି କଥାକୁ ନେଇ ଏବେ ରାଜନୀତି ସରଗରମ ହେଲାଣି । ବିଜେପି ଏହାକୁ କଡା ଭାଷାରେ ନିନ୍ଦା କରିଛି । ରାଷ୍ଟ୍ରପତିଙ୍କୁ ଏପରି କହି ସେ ଏହି ପଦବୀର ପଦମର୍ଯ୍ୟାଦାର ଅବମାନନା କରିଥିବା କହିଛନ୍ତି ବିଜେପି ନେତା । ଏବେ ବି ଗାନ୍ଧି ପରିବାର ସଦସ୍ୟଙ୍କ ମନରେ ଏଭଳି ଚିନ୍ତା ବସାବାନ୍ଧି ରହିଛି ବୋଲି କହିଛନ୍ତି ବିଜେପି ନେତା । ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଟ୍ୱିଟକରି ଏହାକୁ ନିନ୍ଦା କରିବା ସହିତ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି |
ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି | ଆଉ ଅଧିବେଶନ ଆରମ୍ଭରୁ ସୋନିଆଙ୍କ ଏହି ବୟାନ ରାଜନୀତିକୁ ଉଷ୍ମ କରିଛି | ଆଗକୁ ଏହା ଗୃହ ମଧ୍ୟରେ ବି ଏକ ବଡ଼ ପ୍ରସଙ୍ଗ ବନିପାରେ | ପ୍ରଥମ ଥର ଗାନ୍ଧି ପରିବାରରୁ ୩ ଜଣ ସଦସ୍ୟ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସଂସଦ ଭବନ ବାହାରେ ଏହି ତିନି ଜଣଙ୍କ ଅନୌପଚାରିକ କଥାବାର୍ତ୍ତାରୁ ସୃଷ୍ଟି ହୋଇଛି ବିବାଦ । ଦେଶର ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଭଳି ଶବ୍ଦ ପ୍ରୟୋଗକୁ ସବୁ ମହଲରେ ନିନ୍ଦା କରାଯାଇଛି |