ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି ସୋନିଆ, ଖଡ଼ଗେ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୨ ଜାନୁଆରିରେ ଅଯୋଧ୍ୟା ରାମ ମନ୍ଦିରରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରୁ କଂଗ୍ରେସ ନିଜକୁ ଦୂରେଇ ନେଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପାଇଥିବା ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

କଂଗ୍ରେସ ସାଂସଦ ତଥା ଲୋକସଭାରେ ଦଳର ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ରାମ ମନ୍ଦିର ସମାରୋହରେ ସାମିଲ ହେବେନାହିଁ। କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ଆର୍‌ଏସ୍‌ଏସ୍‌ ଏବଂ ବିଜେପିର କାର୍ଯ୍ୟକ୍ରମ କହିବା ସହ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଦ୍ବାରା ଜାରି ବୟାନରେ କୁହାଯାଇଛି ଯେ ଧର୍ମ ଏକ ବ୍ୟକ୍ତିଗତ ମାମଲା ଏବଂ ରାମ ମନ୍ଦିର ସମାରୋହରେ ବିଜେପି ଏବଂ ଆର୍‌ଏସ୍‌ଏସ୍‌ ନେତାମାନେ ନିର୍ବାଚନୀ ଫାଇଦା ପାଇଁ ଲଗାତାର ନିୟୋଜିତ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୨ ଜାନୁଆରିରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ବିଦେଶରୁ ୬ ହଜାରରୁ ଅଧିକ ଲୋକ ସାମିଲ ହେବେ। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ଆଧ୍ୟାତ୍ମ ସଂଗଠନ, ବଲିଉଡ, ଖେଳ, ବ୍ୟବସାୟ ଏବଂ ରାମ ମନ୍ଦିର ଆନ୍ଦୋଳନରେ ସଂପୃକ୍ତ ବ୍ୟକ୍ତିଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ବାରା ନିମନ୍ତ୍ରଣ ପଠାଯାଇଛି।

Related Posts