ସାର୍ ମଉକା ଦିଅନ୍ତୁ ନାହିଁ

ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୫ ତାରିଖରେ ରାଜ୍ୟବାସୀଙ୍କୁ କୋଭିଡ୍ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ଶପଥ ପାଠ କରାଇଲେ । ରାଜ୍ୟବାସୀଙ୍କ ସମେତ ସମସ୍ତ ମନ୍ତ୍ରୀ ବିଧାୟକ, ପ୍ରଶାସକ ଶପଥ କଲେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ରକ୍ଷା କରିବା ପାଇଁ ହେଲେ ବିଡମ୍ବନାର ବିଷୟ ପ୍ରତିଦିନ ରାଜ୍ୟର କେଉଁଠି ନାଁ କେଉଁଠି ଏହି ନିୟମର ଖୋଲା ଉଲଂଘନ ହେଉଥିବାର ଖବର ଆସୁଛି । ଏହି ପ୍ରସଙ୍ଗ ସତ୍ୟପାଠରେ ଆଜି ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଥମେ ରାଜ୍ୟ ସରକାର ଯାହା କହୁଛନ୍ତି ତାହା ନିଜେ କେତେଦୁର କରୁଛନ୍ତି ତାହା ପ୍ରମାଣିିତ କରନ୍ତୁ । ପ୍ରଥମେ ରାଜ୍ୟବାସୀଙ୍କ ପାଖରେ ଉଦାହରଣ ସୃଷ୍ଟି କରନ୍ତୁ । ଯଦି କୋଭିଡ୍ ନିୟମକୁ ଉଲଂଘନ ଅଭିଯୋଗରେ ଦୁଇଜଣ ବନ୍ଧୁଙ୍କ ମଧ୍ୟରେ ବାର୍ତ୍ତାଳାପକୁ ନେଇ ସରକାର ଏତେବଡ ନିଷ୍ପତ୍ତି ନେଇପାରନ୍ତି ତାହେଲେ ପ୍ରତିଦିନ ଯେଉଁମାନେ ଏହି ନିୟମକୁ ଉଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ?

ସତ୍ୟପାଠରେ ଆମେ ନିକଟରେ ଅଗଷ୍ଟ ୯ କ୍ରାନ୍ତୀ ଦିବସରୁ ଅଗଷ୍ଟ୧୫ ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପି ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ କିପରି କୋଭିଡ ନିୟମକୁ ଉଲଂଘନ କରାଯାଇଥିଲା ତାହା ଦେଖାଇଥିଲୁ । ଯେଉଁମାନେ ରାଜ୍ୟ ସରାକାରଙ୍କ ନୀତି ନିର୍ଦ୍ଧାରଣ କରୁଛନ୍ତି ସେମାନଙ୍କ ଉପସ୍ଥିତିରେ ଏ ସମସ୍ତ ଘଟଣା ପ୍ରତିଦିନ ଘଟି ଚାଲିଛି ଅଥଚ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀରବ । ସାର୍ ଯଦି ଏମାନଙ୍କୁ ମଉକା ଦେବେ ତାହେଲେ ସାଧାରଣ ନାଗରିକଟିଏ ତା ମନରେ ଉଠୁଥିବା ପ୍ରଶ୍ନକୁ ଯଦି କାହା ସହ ବିନିମୟ କଲା ତାହେଲେ ତାହା କାହିିଁକି ଏତେ ଗଣ୍ଠି କରାଯାଉଛି ?

କରୋନା କଟକାଣା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ କିପରି ଖେଲା ଉଲଂଘନ କରାଯାଇଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସବଡିଭିଜନ ଅନ୍ତର୍ଗତ ବେଲପଡା ବ୍ଲକ ଧୂମାକୁଟା ଗ୍ରାମ ବୀଣାପାଣି ଡିଗ୍ରୀ ମହାବିଦ୍ୟାଳୟରେ । ଅଗଷ୍ଟ ୮ରୁ ୧୧ ମଧ୍ୟରେ ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏହି କଲେଜରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ରାଜ୍ୟ ମନ୍ତ୍ରୀମଣ୍ଡଳର ଦୁଇଜଣ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଏବଂ ଶୁଶାନ୍ତ ସିଂହଙ୍କ ଉପସ୍ଥିତିରେ ୨ଶହରୁ ଉର୍ଦ୍ଧ ଲୋକ ଏହି ରକ୍ତଦାନ ଶିବିରରେ ଏକାଠି ହୋଇଥିଲେ । ସରକାର ବିବାହ ଉତ୍ସବରେ ୫୦ ଜଣ ଏବଂ ଶବ ଶତ୍କାର କାର୍ଯ୍ୟରେ ୨୦ଜଣରୁ ଅଧିକ ଏକାଠି ନହେବାର ନୟମ ଥିବାବେଳେ ଏତେ ସଂଖ୍ୟକ ଲୋକ ଏଠାରେ ଏକାଠି ହେଲେ କେମିତି ତାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ୧୬୦ ଜଣ ବ୍ୟକ୍ତିଙ୍କ ଠାରୁ ବିନା କୋଭିଡ ପରୀକ୍ଷାରେ ରକ୍ତ ସଂଗ୍ରହ ମଧ୍ୟ ଆଉ ଏକ ବିପଦର ସଂଙ୍କେତ ଦେଉଛି ।

ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଦାୟିତ୍ୱସମ୍ପର୍ଣ୍ଣ ଦଳର ଦୁଇଜଣ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପସ୍ଥିତରେ ଯଦି କୋଭିଡ ଆଇନକୁ ଏଭଳି ଉଲଂଘନ କରାଯାଇ ପାରୁଛି ତାହେଲେ ରାଜ୍ୟର ଅନ୍ୟ ଅଂଚଳର କଥା ନକହିବା ଭଲ । ସାମାଜିକ ଦୂରତାକୁ ବାଏଁ ବାଏଁ ଉଡାଇ ଦେଉଥିବା ଦଳର ଆଗଧାଡିର ନେତା ମନ୍ତ୍ରୀ, ବିଧାୟକ ଆଉ କର୍ମୀମାନେ ଯଦି ଏଭଳି ଗୋଟିଏ ପରେ ଗୋଟିଏ ଭୁଲ କରିଚାଲନ୍ତି ତେବେ ସାଧାରଣ ଲୋକ ଏଥରୁ କଣ ଶିଖିବେ? ଏଠାରେ ସତ୍ୟପାଠ ପକ୍ଷରୁ କେବଳ ଗୋଟିଏ କଥା କୁହା ଯାଇପାରେ ଅନ୍ତତପକ୍ଷେ ସାର୍ ଆଉ ମଉକା ଦିଅନ୍ତୁ ନାହିଁ ନହେଲେ ସମସ୍ତ ଶପଥ ପାଠ, ନିରବ ପ୍ରାର୍ଥନା, ଆଉ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଗାନ କରିବା ନିରର୍ଥକ ହୋଇଯିବ ।

Related Posts