(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଜାବ କଂଗ୍ରେସରେ ଅସନ୍ତୋଷ ଥମିବାରେ ନାଁ ନେଉନି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ପୁଣି ଜୋରସୋରରେ ଚାଲିଛି। ସିଦ୍ଧୁଙ୍କ ପରେ ଏବେ ତାଙ୍କର ପରାମର୍ଶଦାତା ମଧ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ସିଦ୍ଧୁଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ମାଲବିନ୍ଦର ମାଲି କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ନେଇ ବଡ ବୟାନ ଦେଇଛନ୍ତି । । ତେବେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରୁଥିବା ମାଲି କ୍ୟାପଟେନଙ୍କୁ ଅଭିଯୋଗ କରିଛନ୍ତି। ଅପରିପକ୍ଷରେ ଦୁଇଦିନ ପୂର୍ବରୁ ନବଜୋତ ସିଂହ ସିଦ୍ଧୁ ରାଜ୍ୟରେ ତାଙ୍କର ଚାରିଜଣ ପରାମର୍ଶଦାତାଙ୍କୁ ନିଯୁକ୍ତ କରିଥିଲେ। । ତାଙ୍କର ଜଣେ ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫାଙ୍କୁ ମଧ୍ୟ ପରାମର୍ଶ ଦାତା ଭାବରେ ରହିବା ପାଇଁ କହିଥିଲେ । କିନ୍ତୁ ମୁସ୍ତଫା ତାଙ୍କର ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।
ସିଦ୍ଧୁଙ୍କର ପରାମର୍ଶଦାତା ଭାବେ ମାଲବିନ୍ଦର ମାଲି ମଧ୍ୟ ଅଛନ୍ତି। ମାଲି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରିଛନ୍ତି। କେବଳ ଏତିକି ନୁହେଁ ବରଂ ମୁଁ ଗୁରୁଚରଣ ସିଂହ ଟୋହଟାଙ୍କ ଠାରୁ ଆରମ୍ଭ କରି କ୍ୟାପଟେନ ଅମରିନ୍ଦର ସିଂହ ଏବଂ ପ୍ରକାଶ ସିଂହ ବାଦଳଙ୍କ ପରାମର୍ଶଦାତା ଭାବରେ ରହିସାରିଛି । ଏହା ସହ ପଞ୍ଜାବର ବିଭିନ୍ନ ପ୍ରସଙ୍ଗରେ ମୁଁ ଖୋଲାଖୋଲି ଭାବରେ ମୁଁ ମତ ଦେଇଥାଏ । ଯଦି ସିଦ୍ଧୁ ପଞ୍ଜାବର ସ୍ୱାର୍ଥ ପାଇଁ କୌଣସି ଭଲ ଏଜେଣ୍ଡା ଆଣୁଛନ୍ତି ତାହାଲେ କ୍ୟାପଟେନ ଏହାକୁ ସମର୍ଥନ କରିବା ଆବଶ୍ୟକ ବୋଲି ମାଲବିନ୍ଦର ମାଲି କହିଛନ୍ତି ।
କେବଳ ଏତିକି ନୁହେଁ ବରଂ କ୍ୟାପଟେନ ବାରମ୍ବାର ସିଦ୍ଧୁଙ୍କ ରାସ୍ତାରେ କଣ୍ଟା ଭାବରେ ଛିଡା ହେଉଛନ୍ତି । ନବଜୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ କରିବା ପରିବର୍ତ୍ତେ କ୍ୟାପଟେନ ଅମରିନ୍ଦର ସିଂହ ଅକାଳିଙ୍କୁ ସାହାଯ୍ୟ କରି ସୁଖବୀରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା କରୁଛନ୍ତି । ସେମାନେ ମୋଦୀଙ୍କ ବଦଳରେ ସିଦ୍ଧୁଙ୍କ ଏଜେଣ୍ଡା ଉପରେ କାମ କରିବା ଆବଶ୍ୟକ ବୋଲି ମାଲି କହିଛନ୍ତି ।