ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ ସରକାରଙ୍କ ଗୋଟିକ ପରେ ଗୋଟିଏ ମନ୍ତ୍ରୀ ଛନ୍ଦି ହୋଇ ଜେଲ ଯାଉଛନ୍ତି । ସ୍ଥିତି ଏପରି ହୋଇଛି ଯେ ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ମଧ୍ୟ ଜେଲ ଯିବାର ଆଶଙ୍କା ଦେଖାଦେଇଛି ।ତେବେ ଏହି ପ୍ରସଙ୍ଗକୁ ଲୋକଙ୍କ ନିକଟକୁ ନେଇଯିବାକୁ ମନସ୍ତ କରିଛନ୍ତି କେଜ୍ରିଓ୍ବାଲ। ସେ ଜେଲରୁ ସରକାର ଚଳାଇବେ ନା ଇସ୍ତଫା ଦେବେ ? ଏନେଇ ସେ ଦିଲ୍ଲୀରେ ଜନମତ ସର୍ଭେ କରିବାକୁ ଘୋଷଣା କରିଛନ୍ତି। ଗତକାଲି ଦଳର ନେତାମାନଙ୍କ ସହ ଆଲୋଚନା କରି ଏହା ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ମୋତେ ଜେଲ ପଠାଇବା ପାଇଁ ଯୋଜନା କରାଯାଇଛି।
କେଜ୍ରିୱାଲ କହିଛନ୍ତି ଯେ, “ଆମେ ଜେଲ ଯିବାକୁ ଭୟ କରୁନାହୁଁ। ମୁଁ ଥରେ ୧୫ ଦିନ ଜେଲରେ ରହିଥିଲି। ଭିତରେ ଭଲ ବ୍ୟବସ୍ଥା ଅଛି, ତେଣୁ ଆପଣ ମଧ୍ୟ ଜେଲ ଯିବାକୁ ଭୟ କରିବା ଉଚିତ୍ ନୁହେଁ। ଯଦି ଭଗତ ସିଂ ଏତେ ଦିନ ଧରି ଜେଲରେ ରହିପାରନ୍ତି। ମନୀଷ ସିସୋଦିଆ ୯ ମାସ ଜେଲରେ ରହିପାରନ୍ତି। ସତ୍ୟେନ୍ଦ୍ର ଜୈନ ଗୋଟିଏ ବର୍ଷ ଜେଲରେ ରହିପାରନ୍ତି, ତାହେଲେ ଆମେ ଜେଲ ଯିବାକୁ ଭୟ କରୁନାହୁଁ।”
ଆପ ସଂଯୋଜକ ଆହୁରି କହିଛନ୍ତି ଯେ, “ଆମେ କ୍ଷମତା ପାଇଁ ଲୋଭୀ ନୁହଁ। ମୁଁ ୪୯ ଦିନ ପରେ ଇସ୍ତଫା ଦେଇଥିଲି। କେହି ଚୌକିଦାର ଚାକିରିରୁ ମଧ୍ୟ ଇସ୍ତଫା ଦିଅନ୍ତି ନାହିଁ। ମୋର ଯାହା ମନ ଅଛି, ମୁଁ ଦୁନିଆର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ନିଜ ଇଚ୍ଛାରେ ୪୯ ଦିନ ପରେ ଇସ୍ତଫା ଦେଇଛି। ମୋର ଇସ୍ତଫା ମୋର ମୁଖ୍ୟମନ୍ତ୍ରୀଙ୍କ ଚେୟାର ପ୍ରତି ମୋର ଲୋଭ ନାହିଁ। ମୁଁ ଜେଲରୁ ଇସ୍ତଫା ଦେବି କି ଜେଲର ସରକାର ଚଳାଇବି, ଏନେଇ ମୁଁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରୁଛି। ମୋର ସମସ୍ତ ବିଧାୟକ ଏବଂ କାଉନସିଲରଙ୍କ ସହ ଆଲୋଚନା କରିଛି। ଆଜି ମୋର କର୍ମୀମାନଙ୍କ ସହ ଆଲୋଚନା ହୋଇଛି। “
କେଜ୍ରିୱାଲ ଦଳର କର୍ମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, “ବର୍ତ୍ତମାନ ମୁଁ ଆପଣଙ୍କ ଉପରେ ଦାୟିତ୍ଵ ଦେଉଛି। ଦିଲ୍ଲୀର ଲୋକମାନେ ଆମକୁ ବହୁତ ଭଲ ପାଇବା ଦେଇଛନ୍ତି। ଦିଲ୍ଲୀର ଲୋକଙ୍କ ଇଚ୍ଛା ବିନା ଆମେ କିଛି କରିବୁ ନାହିଁ। ଆପଣଙ୍କୁ ଲୋକଙ୍କ ପାଖକୁ ଯିବାକୁ ପଡିବ। ଦିଲ୍ଲୀର ଦ୍ୱାର ଦ୍ଵାର ବୁଲିବାକୁ ପଡିବ ଏବଂ ଲୋକଙ୍କୁ ପଚାରିବାକୁ ପଡିବ ଯେ, କଣ କରିବା ଉଚିତ୍। ଆମେ ଦୋଛକିରେ ଠିଆ ହୋଇଛେ। ଆଗାମୀ ୧୦-୧୫ ଦିନ ମଧ୍ୟରେ ଆମକୁ ଦିଲ୍ଲୀ ଭ୍ରମଣ କରିବାକୁ ପଡିବ। ଆମକୁ ପ୍ରତ୍ୟେକ ଘରକୁ ଯାଇ ଲୋକମାନଙ୍କୁ ପଚାରିବାକୁ ପଡିବ କି ଇସ୍ତଫା ଦେବା କିମ୍ବା ଜେଲରୁ ସରକାର ଚଳାଇବା ଉଚିତ, ଯାହା ଜନସାଧାରଣ କହିବେ ଆମେ ତାହା କରିବୁ।”
କେଜ୍ରିୱାଲ ତାଙ୍କ ଦଳର କର୍ମୀଙ୍କୁ ମଧ୍ୟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପାଇଁ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ଏହା ହେଉଛି ଲୋକସଭା ନିର୍ବାଚନ ପାଇଁ ପ୍ରଚାର। ଆମକୁ ପ୍ରତ୍ୟେକ ଘରକୁ ଯାଇ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ମୁଖା ଖୋଲିବାକୁ ପଡିବ। ମୁଁ ଜେଲ ରହେ କିମ୍ବା ବାହାରେ, ଏଥର ଦିଲ୍ଲୀରେ ବିଜେପି ଗୋଟିଏ ବି ଲୋକସଭା ଆସନ ପାଇବା ଉଚିତ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।