ରାଜ୍ୟରେ ବୃଦ୍ଧି ପାଉଛି ଶଙ୍କର ଜାତୀୟ ଗୋ ସମ୍ପଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ଶଙ୍କର ଜାତୀୟ ଗୋ ସମ୍ପଦର ସଂଖ୍ୟା । ଏହା ବ୍ୟତୀତ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦୁଇ ଦଶନ୍ଧିରେ ୩ଗୁଣ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ । ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ , ଓଡିଶାରେ ଶଙ୍କର ଜାତୀୟ ଗୋସମ୍ପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୦୧ ମସିହାରେ ଶଙ୍କର ଜାତୀୟ ଗାଈଗୋରୁଙ୍କ ସଂଖ୍ୟା ୮,୭୧,୦୦୦ ଥିବାବେଳେ ୨୦୧୯ ମସିହାରେ ଏହା ୧୫,୮୦,୦୦୦ କୁ ବୃଦ୍ଧି ପାଇଛି ।

ସେହିପରି ଗତ ଦୁଇ ଦଶକ ମଧ୍ୟରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୩ଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ହଜାର ମେଟ୍ରିକ ଟନ୍‍ ଥିବାବେଳେ ୨୦୨୦ ମସିହାରେ ଏହା ୨୩ଲକ୍ଷ ୭୦ହଜାର ଟନ୍‍କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ୍‍ ୯୨୫ଟି ପ୍ରାଣୀ ଚିକିତ୍ସକ ପଦବୀ ମଧ୍ୟରୁ ୫୭୪ଜଣ କାର୍ଯ୍ୟରତ ଥିବାବେଳେ ବାକି ୩୫୧ ପଦବୀ ପୂରଣ ପାଇଁ ଓଡିଶା ରାଜ୍ୟ ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ ୩୫୫ଟି ମଞ୍ଜୁରୀପ୍ରାପ୍ତ ଗୋଷ୍ଠି ପ୍ରାଣୀ ଚିକିତ୍ସକ ପଦବୀ ମଦ୍‍ୟରୁ ୨୮୬ଜଣ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟରେ ମୋଟ୍‍ ୩୩୩୦ଟି ମଞ୍ଜୁରୀପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୧୭୮୩ ଜଣ କାର୍ଯ୍ୟରତ ଅଛନ୍ତି ଓ ୫୬୫ ଟି ପ୍ରାଣୀଧନ ନିରୀକ୍ଷକ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି ।

Related Posts