ଗୁରୁତର ହେଉଛି କୋଇଲା ସଂକଟ; ଅନ୍ଧାରରେ ରହିପାରନ୍ତି ଝାଡଖଣ୍ଡ ସମେତ ୧୨ ରାଜ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଗୁରୁତର ହେଉଛି କୋଇଲା ସଂକଟ । କୋଇଲା ଷ୍ଟକ୍ ହ୍ରାସ ଯୋଗୁ ଏପରି ପରିସ୍ଥିତି ଉପୁଜିବାକୁ ଯାଉଥିବା ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ (ଏଆଇପିଇଏଫ) ସତର୍କ କରିଛନ୍ତି। ଥର୍ମାଲ ପାୱାର ପ୍ଲାଣ୍ଟସ୍ ରେ ଦେଖା ଦେଇଥିବା କୋଇଲା ଅଭାବ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ ନିମନ୍ତେ ପାୱାର ଇଞ୍ଜିନିୟରଙ୍କ ସଂଘ ଏହି ସତର୍କତା ଜାରି କରିଥିବା ବେଳେ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଫେଡେରେସନର ସଭାପତି ଶୈଳେନ୍ଦ୍ର ଦୁବେ ଶକ୍ତି ଉତ୍ପାଦନ ଲାଗି ଥର୍ମାଲ ପାୱାର ପ୍ଲାଣ୍ଟକୁ ଇଗନେଟ୍ କରିବାକ ପାଇଁ ଯେତିକି କୋଇଲାର ଆବଶ୍ୟକତା ଅଛି ତାହା ବି ଏବେ ଷ୍ଟକ ନଥିବା କହିଛନ୍ତି। ଏଣୁ କମ କୋଇଲା ଷ୍ଟକ ଯୋଗୁ ପରିସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି ସତର୍କ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ପ୍ରଥମ ଥର ଦେଶରେ କୋଇଲା ସଂକଟ ଦେଖା ଦେଇଥିଲା। ଯାହା ଏବେବି ସମାଧାନ ହୋଇ ନାହିଁ। ଏଥିରେ ଏପ୍ରିଲ ପ୍ରଥମ ପକ୍ଷରେ ଘରୋଇ ବିଦ୍ୟୁତ ଚାହିଦା ୩୮ ବର୍ଷର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଗତବର୍ଷ ଅକ୍ଟୋବର ମାସରେ ବିଦ୍ୟୁତ ଆବଶ୍ୟକତାର ୧.୧ ପ୍ରତିଶତ କମ ଉତ୍ପାଦନ ହେଉଥିବା ବେଳେ ଏପ୍ରିଲ ମାସରେ ଏହା ୧.୪ ପ୍ରତିଶତକୁ ପହଞ୍ଚି ଯାଇଛି।

ଦୁବେଙ୍କ ଅନୁସାରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର, ଗୁଜରାଟ, ପଞ୍ଜାବ, ଝାଡଖଣ୍ଡ ଓ ହରିୟାଣା ଆଦି ରାଦ୍ୟମାନେ ୩ରୁ ୮.୭ ପ୍ରତିଶତ ପର୍ୟ୍ୟନ୍ତ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି। ଏଣୁ ଉପୁଜିଥିବା ବିଦ୍ୟୁତ ସଂକଟ ଗ୍ରୀଷ୍ମ ବଢିବା ସହ ଅଧିକ ଜଟିଳ ହୋଇପାରେ। ଚାହିଦା ସମୟରେ ବିଦ୍ୟୁତ ଆବଶ୍ୟକତା ପୂରଣ ନିମନ୍ତେ ରାଜ୍ୟ ସରକାରମାନେ କୋଇଲା ଷ୍ଟକ ପୁଣି ଭରିବା ଲାଗି ପଦକ୍ଷେପ ନେବାକୁ ଦୁବେ କହିଛନ୍ତି। କୋଇଲା ଅଭାବ ଯୋଗୁ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇପାରେ। ଗତବର୍ଷ ଅକ୍ଟୋବର ମାସରେ ଏପରି ପରିସ୍ଥିତି ଥରେ ଉପୁଜି ସାରିଛି। ଇତିମଧ୍ୟରେ ଉତ୍ତର ପ୍ରଦେଶର ବିଦ୍ୟୁତ ଚାହିଦା ୨୧ ହଜାର ମେଗାୱାଟ ପର୍ୟ୍ୟନ୍ତ ପହଞ୍ଚି ସାରିଥିବା ବେଳେ ଏବେ ରାଜ୍ୟକୁ ୧୯ ହଜାରରୁ ୨୦ ହଜାର ମେଗାୱାଟ ଯୋଗାଣ ହୋଇପାରୁଛି। ତେବେ ୟୁପିର ବିଦ୍ୟୁତ ଆବଶ୍ୟକତା ପୂରଣ କରୁଥିବା ଥର୍ମାଲ ପାୱାର ପ୍ଲାଣ୍ଟମାନଙ୍କରେ ଏବେ କୋଇଲାର ସେପରି ସଂକଟ ଦେଖା ଦେଇନି। ତେବେ ତାପମାତ୍ରା ବଢିଲେ ବିଦ୍ୟୁତ ଚାହିଦା ବଢିବା ସହ ଉତ୍ପାଦନ ଚାହିଦା ମଧ୍ୟ ବଢିବ। ଏପରି ପରିସ୍ଥିତି ଲାଗିସଜାଗ ରହିବାକୁ ସଂଘ କହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts