ଯୋଡ଼ାରେ ୧୪୪ ଧାରା କୋହଳ; ସ୍ୱାଭାବିକ ହେଉଛି ଜୀବନଯାତ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଡ଼ାରେ ୧୪୪ ଧାରାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ପୁଣିଥରେ ସ୍ୱାଭାବିକ ହେବାରେ ଲାଗିଛି ଜୀବନଯାତ୍ରା । ସେପଟେ ରାମନବମୀ ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହା ମଧ୍ୟରେ ଜିନିଷପତ୍ର କିଣାବିକା ପାଇଁ ଆଜି ଦିନ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ କୋହଳ କରାଯାଇଥିବା ନେଇ ଡାକବାଜି ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ ସୂଚନା ଦିଆଯାଇଥିଲା। ତେବେ ସଂଧ୍ୟା ୫ଟାରୁ ଆସନ୍ତାକାଲି ଦିନ ୧୦ଟା ପର‌୍ୟ୍ୟନ୍ତ ୧୪୪ ଧାରା ସଂପୂର୍ଣ୍ଣ ବଳବତ୍ତର ରହିବ ବୋଲି କୁହାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୁଣି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ବଡ଼ବିଲ ଅତିରିକ୍ତ ଏସପି ସୁଦାମ ଚରଣ ସାହୁ ସୂଚନା ଦେଇଛନ୍ତି। ସହରରେ ୧୪୪ ଧାରାକୁ କୋହଳ କରାଯିବା ପରେ ବଜାରରେ ଛୋଟ ବଡ଼ ବ୍ୟବସାୟୀମାନେ ଧୀରେ ଧୀରେ ଦୋକାନ ଖୋଲୁଥିବା ଦେଖିବାକୁ ମିଳିଛି। ଲୋକେ ମଧ୍ୟ ଘରୁ ବାହାରି ଅତ୍ୟାବଶ୍ୟକ ଜିନିଷ କିଣାକିଣି କରୁଛନ୍ତି। ସେପଟେ ଶାନ୍ତି ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରୁଛନ୍ତି। ପ୍ରଶାସନକୁ ସହଯୋଗ କରିବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ।

Related Posts