ଡିଜି-ଆଇଜିପି ସମ୍ମିଳନୀର ଦ୍ବିତୀୟ ଦିନ, ଲୋକସେବା ଭବନରେ ମୋଦୀ ଓ ଶାହ ଉପସ୍ଥିତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ। ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ଆଇଜି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ କରିବେ।

ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହେବ। ଏହା ସହିତ ତିନୋଟି ନୂଆ ଅପରାଧିକ ଆଇନ ର କାର୍ୟ୍ୟକାରିତାର ଅଗ୍ରଗତି ଏବଂ ପୁଲିସ ସହ ଜଡିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ମଧ୍ୟ ସମୀକ୍ଷା କରାଯିବ। ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ସ୍ଥିତିରେ ଉନ୍ନତି ନେଇ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ପୂର୍ବରୁ ଦଣ୍ଡ-କେନ୍ଦ୍ରୀତ ଥିଲା, କିନ୍ତୁ ବର୍ତ୍ତମାନ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନ ହେବା ପରେ ଏହା ନ୍ୟାୟ କେନ୍ଦ୍ରୀତ ହୋଇଛି। ଏହି ନୂତନ ଆଇନର ମୌଳିକ ଭାବନା ଭାରତୀୟ ପରମ୍ପରାରୁ ପ୍ରେରିତ।

ସୂଚନାଯୋଗ୍ୟ, ଗତକାଲି ଉଦ୍ଘାଟନୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ସାଇବର ଅପରାଧର ଆହ୍ୱାନର ମୁକାବିଲା ପାଇଁ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବୈଷୟିକ ସ୍ତରରେ ସୁଦୃଢ଼ କରିବା ଜରୁରୀ, ଯାହାଦ୍ୱାରା ଯେକୌଣସି ପ୍ରକାର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରାଯାଇପାରିବ। ଏହି ସମ୍ମିଳନୀରେ ଗୃହମନ୍ତ୍ରୀ ନିଜ ଅଭିଭାଷଣରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପୁଲିସ ଅଧିକାରୀଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟି ସେ କହିଥିଲେ ଯେ ଦେଶର ସୁରକ୍ଷା ଓ ପୁଲିସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସବୁ ରାଜ୍ୟରେ ମିଳିତ ପ୍ରୟାସ କରାଯିବା ଦରକାର।

Related Posts