ଏସ୍ସିଓ ଶିଖର ସମ୍ମିଳନୀ: ଜୟଶଙ୍କରଙ୍କ ସହ ହାତ ମିଳାଇଲେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ

ଭୁବନେଶ୍ୱର,୧୫/୧୦(ସତ୍ୟପାଠ ବ୍ୟୁରୋ):  ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ସରକାର ମୁଖ୍ୟମାନଙ୍କ ପରିଷଦ (ସିଏଚ୍ଜି)ର ୨୩ତମ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବୈଠକରେ ସାମିଲ ହେବାପାଇଁ ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଇସଲାମାବାଦ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେଉଛି। ସୁରକ୍ଷା ଦୃଷ୍ଟିରୁ ଉଭୟ ଇସଲାମାବାଦ ଓ ଏହାର ପଡ଼ୋଶୀ ସହର ରାୱଲପିଣ୍ଡିର ପ୍ରମୁଖ ମାର୍ଗ ଓ ବ୍ୟବସାୟ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। କଶ୍ମୀର ପ୍ରସଙ୍ଗ ଓ ସୀମାପାର ଆତଙ୍କବାଦକୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ପାଖାପାଖି ୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଆସିଛନ୍ତି।

ମଙ୍ଗଳବାର ପ୍ରତିନିଧି ଦଳ ପହଞ୍ଚିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ରାତ୍ରିଭୋଜନ ସହିତ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସମସ୍ତ ଅତିଥିଙ୍କୁ ରାତ୍ରିଭୋଜନ ପୂର୍ବରୁ ସ୍ବାଗତ କରିଥିଲେ। ଏହି ଅବସରରେ ଜୟଶଙ୍କର ସରିଫ୍ଙ୍କ ସହ ହାତ ମିଳାଇବା ସହିତ କିଛି ସମୟ କଥାବାର୍ତ୍ତା କରିଥିଲେ। ବୁଧବାର ନେତାମାନେ ଗଣମାଧ୍ୟମ ବିବୃତି ଜାରି କରିବା ସହ ଏକ ସରକାରୀ ମଧ୍ୟାହ୍ନ ଭୋଜନରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଏସ୍ସିଓ ବୈଠକରେ ଯୋଗଦେବା ସହ ଏକ ୪ ଦିନିଆ ଦ୍ୱିପାକ୍ଷିକ ଗସ୍ତ ପାଇଁ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସୋମବାର ଇସଲାମାବାଦରେ ପହଞ୍ଚିଛନ୍ତି। ଗତ ୧୧ ବର୍ଷ ମଧ୍ୟରେ ଏହା ହେଉଛି ଚୀନର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ। ଏହି ଗସ୍ତ ସମୟରେ ଚୀନ୍ ପ୍ରଧାନମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦାରୀ ଏବଂ ଅନ୍ୟ ପ୍ରମୁଖ ରାଜନୈତିକ ଓ ସାମରିକ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବା ସହ ବେଲୁଚିସ୍ତାନରେ ସିପିଇସି ଅନୁଦାନପ୍ରାପ୍ତ ଗ୍ୱାଦର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଦ୍ଘାଟନ କରିବେ ବୋଲି ଆଶା କରାଯାଉଛି।

ଶିଖର ସମ୍ମିଳନୀ ପାଇଁ ପାକିସ୍ତାନୀ କର୍ତ୍ତୃପକ୍ଷ ରାଜନୈତିକ ଅଶାନ୍ତି ଓ ଆତଙ୍କବାଦୀ ହିଂସାର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସମଗ୍ର ଇସଲାମାବାଦରେ ସୈନ୍ୟ ମୁତୟନ କରାଯାଇଛି ଏବଂ ଜେଲରେ ଥିବା ବିରୋଧୀ ଦଳ ନେତା ଇମ୍ରାନ ଖାନଙ୍କ ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଛି। ବିରୋଧକୁ ସୀମିତ କରିବା ପାଇଁ ନୂଆ ଆଇନ ମଧ୍ୟ ଲାଗୁ କରାଯାଇଛି। ଏହି ଶିଖର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବେଲାରୁସ୍ ପ୍ରଧାନମନ୍ତ୍ରୀ ରୋମାନ୍ ଗୋଲୋଭଚେଙ୍କୋ, କାଜାଖସ୍ତାନ ପ୍ରଧାନମନ୍ତ୍ରୀ ଓଲଝାସ୍ ବେକତେନୋଭ, ରୁଷ୍ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ, ତାଜିକ୍ ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା, ଉଜବେକ୍ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଆରିପୋଭ, କିର୍ଗିଜସ୍ତାନର ମନ୍ତ୍ରିମଣ୍ଡଳ ଅଧ୍ୟକ୍ଷ ଜାପାରୋଭ ଆକିଲବେକ୍ ଏବଂ ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଯୋଗ ଦେଉଛନ୍ତି। ଏସସିଓ ସମ୍ମିଳନୀ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇଶାକ ଡାର୍ଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନାକୁ ଉଭୟ ପକ୍ଷ ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ନିକଟରେ ଜୟଶଙ୍କର କହିଥିଲେ, ପାକିସ୍ତାନ ସୀମାପାର ଆତଙ୍କବାଦକୁ ଅଣଦେଖା କରି ମନମୁଖି ଚିନ୍ତାଧାରାରେ ଲିପ୍ତ ରହିଲେ ଦ୍ବିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ।

Related Posts