ବକେୟା ଟଙ୍କା ଫେରାଇବାକୁ ବିବାଦୀୟ କୁଳପତି ସଂଜୀବ ମିତ୍ତଲଙ୍କୁ ଚିଠି ଲେଖିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ବକେୟା ଟଙ୍କା ଫେରାଇବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି। କେବଳ ସେତିକି ନୁହେଁ, ତାଙ୍କ ସମୟରେ ସମାବର୍ତ୍ତନ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ‌ଯୋଗାଇଥିବା ସଂସ୍ଥା ପ୍ରତି ମଧ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିମ୍ନମାନର ସ୍ବର୍ଣ୍ଣପଦକ ଦେବା ଯୋଗୁ ବିଶ୍ବବିଦ୍ୟାଳୟ ବଦନାମ ହୋଇଥିବାରୁ ନେଇଥିବା ପୂରା ଟଙ୍କା ୧୫ ଦିନ ମଧ୍ୟରେ ନଫେଇରାଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ନିମନ୍ତେ ଏସ୍‌ଇସିଏଲ୍‌, ବିଲାସପୁର ୨ଟି ପର୍ଯ୍ୟାୟରେ ୩୨,୪୩,୭୮୩ ଟଙ୍କା ଦେଇଥିଲା। ତତ୍କାଳୀନ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ଅନ୍ୟ କୌଣସି ପ୍ରଫେସରଙ୍କୁ ଏହାର ପିଆଇଓ ନରଖି ନିଜେ ଏହାର ପିଆଇଓ ରହିଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ସେ ବ୍ୟାଙ୍କରେ ପିଆଇଓଙ୍କ ନାମରେ ଏକ ଆକାଉଣ୍ଟ ଖୋଲି ଉକ୍ତ ଅର୍ଥରାଶିକୁ ବିଶ୍ବବିଦ୍ୟାଳୟ ଆକାଉଣ୍ଟରୁ ସେହି ଆକାଉଣ୍ଟକୁ ଟ୍ରାନ୍ସଫର କରାଇ ନେଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେ ପୁଣି ବେଆଇନ ଭାବେ ତାଙ୍କ ପୁଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୪ ଲକ୍ଷ ଟଙ୍କା ପ‌ଠେଇ ଥିଲେ। ତଦନ୍ତ ରିପୋର୍ଟରେ ଏହା ଧରାପଡ଼ିବା ପରେ ସେ ବାଧ୍ୟହୋଇ ଦୁଇଟି ପର୍ଯ୍ୟାୟରେ ୨୯ ଲକ୍ଷ ଟଙ୍କା ଫେରାଇଥିଲେ। ତେବେ, ସେ ଚାକିରିରୁ ଇସ୍ତଫା ଦେବା ପରେ ବି ଏପର୍ଯ୍ୟନ୍ତ ପିଆଇଓ ଆକାଉଣ୍ଟରେ ଥିବା ୩,୪୩,୭୮୩ ଟଙ୍କା ବିଶ୍ବବିଦ୍ୟାଳୟକୁ ଫେରସ୍ତ କରିନାହାନ୍ତି। ତେଣୁ, ଏହି ବକେୟା ୩,୪୩,୭୮୩ ଟଙ୍କା ବିଶ୍ବବିଦ୍ୟାଳୟକୁ ତୁରନ୍ତ ଫେରସ୍ତ କରିବାକୁ କୁଳସଚିବ ପ୍ରଫେସର ମିତ୍ତଲଙ୍କୁ ଚିଠି ଲେଖିଛନ୍ତି। ସେହିପରି ୩୧ତମ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ଯୋଗାଇଥିବା କୋଲ୍‌କାତାର ସଂସ୍ଥାକୁ ପଦକ ତିଆରି ପାଇଁ ଦିଆଯାଇଥିବା ଅଗ୍ରିମ ୫ ଲକ୍ଷ ଟଙ୍କା ମଧ୍ୟ ଫେରସ୍ତ କରିବାକୁ ଚିଠିରେ କୁହାଯାଇଛି।

ନିର୍ଦ୍ଧାରିତ ମାନଠାରୁ ସ୍ବର୍ଣ୍ଣପଦକରେ ସୁନାର ଶୁଦ୍ଧତା ଓ ପରିମାଣ କମ୍‌ ଥିବାରୁ ବିଶ୍ବବିଦ୍ୟାଳୟ ବଦନାମ ହୋଇଛି। ତେଣୁ, ସମଗ୍ର ୫ ଲକ୍ଷ ଟଙ୍କା ଫେରାଇବାକୁ କହାଯାଇଛି। ୧୫ ଦିନ ମଧ୍ୟରେ ଟଙ୍କା ନଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ଏଥି ସହିତ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବାକୁ ବି କହାଯାଇଛି। ସେହିପରି ପ୍ରଫେସର ମିତ୍ତଲ କୁଳପତି ଭାବେ ଯୋଗଦେବା ଦିନ ୨୫ ଜାନୁଆରି ୨୦୨୧ରୁ ଇସ୍ତଫା ଦେବା ଦିନ ୨୮ ଅଗଷ୍ଟ ୨୦୨୨ ମଧ୍ୟରେ ହୋଇଥିବା ଆର୍ଥିକ ଓ ପ୍ରଶାସନିକ ଅନିୟମିତତାର ଅଡିଟ୍ ପାଇଁ ଲୋକାଲ୍‌ ଫଣ୍ଡ ଅଡିଟ୍‌କୁ ଅନୁରୋଧ କରାଯିବାକୁ ଏବେ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟଗତ କାରଣରୁ ଏଠାରୁ ଇସ୍ତଫା ଦେଇଥିବା ପ୍ରଫେସର ମିତ୍ତଲ କିନ୍ତୁ ତାଙ୍କ ମୂଳ ବିଶ୍ବବିଦ୍ୟାଳୟରେ ଏବେ ପୁଣି ଯୋଗ ଦେଇଛନ୍ତି। ସଂପୃକ୍ତ ବିଶ୍ବବିଦ୍ୟାଳୟର କୁଳସଚିବ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଶେଷ ଦରମା ପ୍ରମାଣପତ୍ର(ଏଲ୍‌ସିପି) ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବ କିନ୍ତୁ ଏହା ଦେବାକୁ ମନା କରିଦେଇଛନ୍ତି। ପ୍ରଫେସର ମିତ୍ତଲଙ୍କ ପାଖରେ ଟଙ୍କା ରହିଥିବା ତଥା ଆବଶ୍ୟକ ସ୍ଥଳେ ଅନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏଲ୍‌ସିପି ଦିଆଯାଇପାରିବ ନାହିଁ ବୋଲି କହିଥିବା ଜଣାପଡ଼ିଛି। ଏଠାରୁ ଏଲ୍‌ସିପି ନଗଲେ ସେଠାରେ ପ୍ରଫେସର ମିତ୍ତଲଙ୍କୁ ଦରମା ମିଳିବା ବି କଷ୍ଟକର ହୋଇଯିବ ବୋଲି କୁହାଯାଇଛି।

Related Posts