ଜି-୨୦ ଗ୍ରୁପରୁ ରୁଷକୁ ବାହାର କରିଦେଲେ ଅର୍ଥନୈତିକ ଭାବରେ ରୁଷ ଉପରେ ଅନେକ ଚାପ ପଡ଼ିବ: ବାଇଡେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଲାଗିରହିଛି । ଉଭୟଙ୍କ ଯୁଦ୍ଧ ଫଳରେ ସାରା ବିଶ୍ୱବାସୀ ପ୍ରଭାବିତ ହେଉଛି । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେଲ୍ଜିୟମ ରାଜଧାନୀ ବ୍ରୁସେଲ୍ସରେ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏବଂ ଏହି ସମ୍ମିଳନୀରେ ରୁଷ ଉପରେ ବାଇଡେନ ପ୍ରବଳ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ରୁଷ ୟୁକ୍ରେନ ଉପରେ ଏହାର ଆକ୍ରମଣ ଜାରି ରଖିଥିବାରୁ ଏବେ ରୁଷକୁ ଉଚ୍ଚିତ ଶିକ୍ଷା ଦେବାର ସମୟ ଆସିଛି । ତେଣୁ ବିଶ୍ୱର ବିକଶିତ ଦେଶମାନଙ୍କୁ ନେଇ ଗଠିତ ଜି-୨୦ ଗ୍ରୁପରୁ ରୁଷକୁ ବାହର କରିଦେବା ଆବଶ୍ୟକ ବୋଲି ବାଇଡେନ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଜି-୨୦ ଗ୍ରୁପରୁ ରୁଷ ବାହାରିଗଲେ ବିଶ୍ୱର ଏକ ବୃହତ ଅର୍ଥବ୍ୟବସ୍ଥାରୁ ରୁଷ ହଟିଯିବ ଏବଂ ଅର୍ଥନୈତିକ ଭାବେ ତା’ଉପରେ ଅନେକ ଚାପ ସୃଷ୍ଟି ହେବ ବୋଲି ବାଇଡେନ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବାଣିଜ୍ୟରେ ଜି୨୦ ରାଷ୍ଟ୍ରର ଭାଗିଦାରିତା ପାଖାପାଖି ୭୫% ରହିଛି ।

ଏଣୁ ଜି୨୦ ଗ୍ରୁପରୁ ବାହାରିଗଲେ ରୁଷକୁ ଶକ୍ତ ଝଟ୍କା ଲାଗିବ । ଏହା ପୂର୍ବରୁ ୨୦୧୪ରେ ରୁଷ କ୍ରିମିୟା ଉପରେ କବ୍ଜା କରିନେବା ପରେ ରୁଷକୁ ଜି-୮ ଗ୍ରୁପରୁ ହଟାଇ ଦିଆଯାଇଥିଲା । ସେପଟେ ଜି-୨୦ର ସଦସ୍ୟ ରାଷ୍ଟ୍ର ଯଦି ରୁଷକୁ ହଟାଇବାକୁ ସହମତ ନ ହୁଅନ୍ତି, ତେବେ ଅତିକମ୍ରେ ୟୁକ୍ରେନକୁ ନାଟୋ ସମ୍ମିଳନୀରେ ସାମିଲ ହେବାକୁ ଅନୁମତି ଦିଆଯାଉ । ୟୁକ୍ରେନ ପ୍ରସଙ୍ଗରେ ନାଟୋ ଯେଉଁଭଳି ଏକଜୁଟ ହୋଇଛି ପୂର୍ବରୁ କେବେ ବି ହୋଇନଥିଲା । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁଟିନ ଯାହା ସବୁ ଭାବିଥିଲେ ତା’ର ବିପରୀତ ହେଉଛି । ନାଟୋ ଏକଜୁଟ ହେବା କାରଣରୁ ଏହା ସମ୍ଭବପର ହୋଇପାରିଛି । ୟୁକ୍ରେନର ୧ ଲକ୍ଷ ଶରଣାର୍ଥୀଙ୍କୁ ନିଜ ଦେଶକୁ ସ୍ୱାଗତ କରିବାକୁ ଆମେରିକା ପ୍ରସ୍ତୁତ ବୋଲି ମଧ୍ୟ ବାଇଡେନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts