୨୦ ଦିନରେ ରୁଷ ଓ ୟୁକ୍ରେନ ଯୁଦ୍ଧ: ସେପଟେ ଧୀରେ ଧୀରେ ସରିବାକୁ ବସିଲାଣି ଋଷର ଅସ୍ତ୍ରଶସ୍ତ୍ର ଭଣ୍ଡାର: ଆମେରିକୀୟ ସେନାବାହିନୀର ପୂର୍ବତନ କମାଣ୍ଡର

୨୦ ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଥିବା ବେଳେ, ଯାହାର କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି |

ଏହାରି ମଧ୍ୟରେ ଧୀରେ ଧୀରେ ରୁଷ ସେନାଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଶେଷ ହେବାକୁ ବସିଲାଣି | ଆଉ ମାତ୍ର ୧୦ ଦିନ ପାଇଁ ହିଁ ଋଷ ପାଖରେ ଅସ୍ତ୍ରଶସ୍ତ୍ର ଥିବା ଆମେରିକୀୟ ସେନାବାହିନୀର ପୂର୍ବତନ କମାଣ୍ଡର ବେନ୍ ହୋଜସ ଦାବି କରିଛନ୍ତି | ସେ କହିଛନ୍ତି ଋଷ ପାଖରେ ବର୍ତ୍ତମାନ ମାତ୍ର ୧୦ ଦିନ ପାଇଁ ହିଁ ଯୁଦ୍ଧ ଲଢ଼ିବାକୁ ଗୁଳିଗୋଳା ବାକି ଅଛି |

ସୂଚନା ମୁତାବକ ଆଜି ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨୦ ଦିନ ପୁରିଥିବାବେଳେ ଏହି ସମୟ ମଧ୍ୟରେ, ଋଷ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ ଜାରି ରଖିଛି |

ଯୁଦ୍ଧ ଆରମ୍ଭରେ, ଋଷ ଆଶା କରି ନଥିଲା ଯେ ୟୁକ୍ରେନ ଏତେ ଦିନ ଧରି ଲଢେଇ ଜାରି ରଖିବ | ବର୍ତ୍ତମାନ ଋଷର ଗୁଳିଗୋଳା ସରିବାକୁ ବସିଥିବାବେଳେ ଋଷ ନିଜର ବହୁସଂଖ୍ୟାରେ ସୈନିକଙ୍କୁ ମଧ୍ୟ ହରାଇଛି | ସୂଚନା ଥାଉ କି ୨୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧ ସମଗ୍ର ୟୁକ୍ରେନକୁ ଧ୍ୱଂସ କରିଦେଇଛି | ଅଧିକାଂଶ ବଡ ସହର ଧ୍ୱଂସାବଶେଷରେ ପରିଣତ ହୋଇଛି, ଲୋକମାନେ ନିଜ ପରିବାର ସହିତ ଦେଶ ଛାଡି ଚାଲିଯାଉଛନ୍ତି |

ସେପଟେ ୟୁକ୍ରେନ ସେନା ଙ୍କ ମନୋବଳ ବଢ଼ାଇଛନ୍ତି ଆମେରିକା ରାଷ୍ଟ୍ରପତି | ଋଷ୍ ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ବାଇଡେନ୍ । ଏହାସହ ସେ ୟୁକ୍ରେନକୁ ମାନବୀୟ ସହାୟତା ଓ ସେଠାରେ ଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ବାଇଡେନ୍ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

Related Posts