ୟୁକ୍ରେନର କ୍ରାମାଟୋରସ୍କ ସହରରେ ଥିବା ରେଳ ଷ୍ଟେସନ ଉପରେ ରୁଷର ରକେଟ୍‌ ମାଡ଼: ୩୦ ମୃତ, ୧୦୦ ଆହତ

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ଯାହାର କଡା ମୁକାବିଲା କରୁଛି ୟୁକ୍ରେନ ସେନା | ରୁଷ, ୟୁକ୍ରେନ ଉପରରେ ନରସଂହାର ରଚୁଥିବା ବେଳେ, ଜଣ ଗହଳି ପୁର୍ଣ ସ୍ଥାନ ଉପରେ ଆକ୍ରମଣ କରିଚାଲିଛି | ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ୟୁକ୍ରେନ ଦାବି କରି ଆସୁଛି | ଏହାରି ମଧ୍ୟରେ ୟୁକ୍ରେନର କ୍ରାମାଟୋରସ୍କ ସହରରେ ଥିବା ଗୋଟିଏ ରେଳ ଷ୍ଟେସନ ଉପରେ ରୁଷ ପକ୍ଷରୁ ଦୁଇଟି ରକେଟ୍‌ ମାଡ଼ ହୋଇଛି। ଏଥିରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହି ରେଳ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ହେଲେ ରେଳ ଷ୍ଟେସନରେ ରେକଟ ମାଡ଼ ହେବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜାରି ରହିଥିବା ଯୁଦ୍ଧ ଭୟରେ ଲୋକମାନେ ୟୁକ୍ରେନର ବିଭିନ୍ନ ସୁରକ୍ଷିତ ପ୍ରାନ୍ତକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏହିକ୍ରମରେ ଆଜି ରେଳ ଷ୍ଟେସନରେ ଶତାଧିକ ଲୋକ ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ। ଏତିକି ବେଳେ ରେଳ ଷ୍ଟେସନକୁ ଟାର୍ଗେଟ କରି ରୁଷ ସେନା ଦୁଇଟି ରକେଟ ମାଡ଼ କରିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରେଳ ଷ୍ଟେସନର ଯେଉଁ ଅଞ୍ଚଳରେ ସାଧାରଣ ଲୋକମାନେ ଟ୍ରେନକୁ ଅପେକ୍ଷା କରିଥିଲେ, ସେହି ସ୍ଥାନଟି ହିଁ ରକେଟ ମାଡ଼ରେ ଛିନଛତ୍ର ହୋଇଯାଇଛି ବୋଲି ୟୁକ୍ରେନ ସରକାର କହିଛନ୍ତି।

ରକେଟ ମାଡ଼ ପରେ ଷ୍ଟେସନର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗିଯାଇଛି। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିବାର ଫଟୋ ସାମ୍ନାକୁ ଆସିଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ଲୋକମାନେ ଭୟରେ ଏଣେତେଣ ଦୌଡ଼ୁଥିବା ଦେଖିବାକୁ ମିଳିଛି।

Related Posts