ୟୁକ୍ରେନ ଆକ୍ରମଣ କରିବା ପରେ ପ୍ରଥମ ବିଦେଶ ଗସ୍ତ କରିବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଲଣ୍ଡନ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ କୁ ନେଇ ଅନେକ ଦେଶ ଋଷ ବିରୋଧ ରେ ମତ ପ୍ରକାଶ କରିଥିବା ବେଳେ, ଯାହା ଋଷ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ତେବେ ଯୁଦ୍ଧ ଆରମ୍ଭ ହେବା ପରେ ବିଦେଶ ଗସ୍ତରେ ଯାଇନଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚଳିତ ସପ୍ତାହରେ ପ୍ରଥମ ବିଦେଶ ଗସ୍ତ କରିବେ । ଏସିଆର ଦୁଇ ପୂର୍ବତନ ସୋଭିଏତ୍ ରାଜ୍ୟ ଗସ୍ତ କରିବେ ।

ଋଷ୍ ରାଜ୍ୟ ଟେଲିଭିଜନ ରବିବାର ଦିନ ଏହି ସୂଚନା ପ୍ରଦାନ କରିଛି । ୟୁକ୍ରେନ୍ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବାପରେ ପୁଟିନ୍‌ଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । ରୋସିଆ ୧ ରାଜ୍ୟ ଟେଲିଭିଜନ ଷ୍ଟେସନର ସାମ୍ବାଦିକ ପାଓ୍ବେଲ ଜାରୁବିନ୍ କହିଛନ୍ତି ଯେ, ଭ୍ଲାଦିମିର ପୁଟିନ୍ ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ଗସ୍ତ କରିବା ସହ ମସ୍କୋରେ କଥାବାର୍ତ୍ତା ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋଙ୍କ ସହ ଭେଟିବେ ।

ଜାରୁବିନ୍ କହିଛନ୍ତି, ଦୁଶାମ୍ବେରେ ପୁଟିନ୍ ତାଜିକ ରାଷ୍ଟ୍ରପତି ଇମୋମାଲି ରାଖମୋନଙ୍କୁ ଭେଟିବେ । ଯିଏକି ଋଷ୍‌ର ଜଣେ ଘନିଷ୍ଠ ସହଯୋଗୀ ଏବଂ ଜଣେ ପୂର୍ବତନ ସୋଭିଏତ୍ ରାଜ୍ୟର ସବୁଠୁ ଅଧିକ ସମୟ ଶାସନ କରିଥିବା ଶାସକ । ଅଶଗାବାତରେ ସେ ଅଜରବୈଜାନ, କାଜାକିସ୍ତାନ, ଇରାନ ଏବଂ ତୁର୍କମେନିସ୍ତାନ ନେତାଙ୍କ ସହିତ କ୍ୟାପସିୟନ ଦେଶର ଏକ ଶିଖର ସମ୍ମିଳନୀରେ ଭାଗ ନେବେ ।

ଋଷ୍ ବାହାରେ ପୁଟିନ୍‌ଙ୍କ ଶେଷ ଜ୍ଞାତ ଯାତ୍ରା ଫେବୃଆରୀ ଆରମ୍ଭରେ ବେଜିଂ ଗସ୍ତ ଥିଲା । ବେଜିଂରେ ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅଲମ୍ପିକ ଶୀତକାଳୀନ ଖେଳର ଉଦଘାଟନ ସହାରୋହରେ ସାମିଲ ହେବାର କିଛି ଘଣ୍ଟା ପୂର୍ବରୁ ବନ୍ଧୁତ୍ବ ଚୁକ୍ତିର ଅନାବରଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଋଷ୍ ସେନା ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ । ଯାହା ପରଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯାହା ଫଳରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ସେହିଭଳି ଆମେରିକା ଏବଂ ତାଙ୍କ ପଶ୍ଚିମୀ ସହଯୋଗୀ ମସ୍କୋ ଉପରେ ଗମ୍ଭୀର ଆର୍ଥିକ ପ୍ରତିବନ୍ଧକ ଲଗାଇଛି ।

Related Posts