(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତୃଣମୂଳ କଂଗ୍ରେସ (ଟିଏମସି) ରେ ସାମିଲ ହେଲେ ଆରଟିଆଇ ଆକ୍ଟିଭିସ୍ଟ ସାକେତ ଗୋଖଲେ। ଗୋଖଲେ ଦଳରେ ଯୋଗଦେବା ନେଇ ଟିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଟିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସୂଚନା ଅଧିକାର କାର୍ଯ୍ୟକର୍ତ୍ତା ସାକେତ ଗୋଖଲେ ଆଜି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି। ଟିଏମସିରେ ସାମିଲ ହେବା ଅବସରରେ ସୌଗତା ରୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଏବଂ ଟିଏମସିର ରାଜ୍ୟସଭା ସାଂସଦ ଡେରେକ ଓ-ବ୍ରାଇନ୍ ଉପସ୍ଥିତିରେ ଥିଲେ।
ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ସାକେତ ଗୋଖଲେ କହିଛନ୍ତି ଯେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ସେ କହିଛନ୍ତି ଯେ “ଟିଏମସି ସଂସଦର ଦ୍ୱିତୀୟ ବୃହତ୍ତମ ବିରୋଧୀ ଦଳ ଏବଂ ଏଥିପାଇଁ ଏହି ଦଳ ହେଉଛି ମୋର ସ୍ପଷ୍ଟ ପସନ୍ଦ। ଯଦି ଆପଣ ସମସ୍ତ ଜାତୀୟ ଦଳକୁ ଦେଖନ୍ତି ତେବେ ସେମାନଙ୍କ ମଧ୍ୟରେ ଟିଏମସି ସବୁବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥାଏ । ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେପରି ସବୁବେଳେ ଫ୍ରଣ୍ଟ୍ ଫୁଟ୍ ରେ ଖେଳୁଛନ୍ତି, ତାହା ମୋର ପସନ୍ଦ।
ସାକେତ ଗୋଖଲେ କିଏ?
ଗୁରୁବାର ଦିନ ଟିଏମସିରେ ଯୋଗ ଦେଇଥିବା ସାକେତ ଗୋଖଲେ ଜଣେ ସାମାଜିକ କର୍ମୀ ତଥା ସୂଚନା ଅଧିକାର କାର୍ଯ୍ୟକର୍ତ୍ତା। ଏହା ବ୍ୟତୀତ ସେ ବହୁ ବର୍ଷ ଧରି ସାମ୍ବାଦିକତା ସହିତ ମଧ୍ୟ ଜଡିତ ଥିଲେ। ଗୋଖଲେ ହିନ୍ଦୁସ୍ତାନ ଟାଇମ୍ସ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟିଭ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ଫାଇନାନ୍ସିଆଲ୍ ଟାଇମ୍ସ ସହିତ ମଧ୍ୟ କାମ କରିଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା , ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ସାମିଲ୍ ହୋଇଥିଲେ। ଏହାପରେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ମଧ୍ୟ ବିଜେପି ଛାଡି ପୁଣି ଥରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।