ଆରଏସଏସ୍‌ ନିଜ ପ୍ରୋଫାଇଲରେ ଲଗାଇଲା ତ୍ରିରଙ୍ଗା, ସଂଘ ମୁଖ୍ୟାଳୟରେ ଜାତୀୟ ପତାକା ଉଡାଇଲେ ମୋହନ ଭାଗବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ୍‌) ନିଜର ସୋସିଆଲ ମିଡିଆ ଆକାଉଣ୍ଟର ଫୋଟ ପରିବର୍ତ୍ତନ କରିଛି। ପୂର୍ବରୁ ଆରଏସ୍‌ଏସ୍‌ ନିଜ ଡିପିରେ ଗେରୁଆ ପତାକା ଲଗାଇଥିଲା। ହେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆରଏସଏସ ଗେରୁଆ ବଦଳରେ ନିଜ ଡିପିରେ ତ୍ରିରଙ୍ଗା ଲଗାଇଛି।ସେହିପରି ସଂଘ ମୁଖ୍ୟାଳୟରେ ଆଜି ଠାରୁ ଜାତୀୟ ପତାକା ଉଡ଼ାଇବା ଆରମ୍ଭ ହୋଇଛି। ଶନିବାର ସଂଘ ମୁଖ୍ୟ ମୋହନ ଭାଗବତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରୁଥିବର ବେଳର ଭିଡିଓକୁ ଆରଏସ୍‌ଏସ୍‌ ଟ୍ୱିଟ କରିଛି। ମୋହନ ଭାଗବତ ମଧ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକଚର୍‌ରେ ତ୍ରିରଙ୍ଗାକୁ ସ୍ଥାନ ଦେଇଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏଥିପାଇଁ ଅଗଷ୍ଟ ୨ରୁ ୧୫ ତାରିଖ ଯାଏ ଦେଶବାସୀ ନିଜ ପ୍ରୋଫାଇଲ ପିକଚରରେ ତ୍ରିରଙ୍ଗାକୁ ସ୍ଥାନ ଦେବା ପାଇଁ ମୋଦି ଆହ୍ୱାନ କରିଥିଲେ। ଏଥିସହ ଅଗଷ୍ଟ ୧୩ରୁ ହର ଘର ତ୍ରିରଙ୍ଗା ବା ପ୍ରତିଟି ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପରାମର୍ଶ ଦେଇଥିଲେ।

ତେବେ ଆରଏସଏସ୍‌ ତ୍ରିରଙ୍ଗା ଉଡ଼ାଇବା ଓ ତ୍ରିରଙ୍ଗାକୁ ଡିପି ଭାବେ ବ୍ୟବହାର କରିବା ପୂର୍ବରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସଂଘର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ବିରୋଧୀଙ୍କ କହିବା ଅନୁସାରେ ଆରଏସ୍‌ଏସ୍‌ ତ୍ରିରଙ୍ଗାକୁ କେବେ ହେଲେ ଦେଶର ଜାତୀୟ ପତାକା ଭାବେ ଗ୍ରହଣ କରି ନାହିଁ। କଂଗ୍ରେସ ନେତା ଜୟରାମ ରମେଶ ଆରଏସଏସ୍‌କୁ ଟାର୍ଗେଟ କରି କିଛି ଦିନ କହିଥିଲେ ଯେ ଯେଉଁ ସଂସ୍ଥା ନିଜର ନାଗପୁର ମୁଖ୍ୟାଳୟରେ ଦୀର୍ଘ ୫୨ ବର୍ଷ କାଳ ଜାତୀୟ ପତାକା ଲଗାଇ ନଥିଲା, ସେ କ’ଣ ଏବେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଜ ଡିପିରେ ତ୍ରିରଙ୍ଗା ଲଗାଇବ ବୋଲି ସେ ପ୍ରଶ୍ନ କରିଥିଲେ। ଏହି କଟାକ୍ଷର ବେଶ କିଛି ଦିନ ପରେ ଆରଏସ୍‌ଏସ୍‌ ଶୁକ୍ରବାର ନିଜ ପ୍ରୋଫାଇଲ୍ ର ଛବିକୁ ପରିବର୍ତ୍ତନ କରି ତ୍ରିରଙ୍ଗା ଲଗାଇଛି।ଆରଏସଏସର ପବ୍ଲିସିଟି ବିଭାଗର ଦାୟିତ୍ୱରେ ଥିବା ନରେନ୍ଦ୍ର ଠାକୁର କହିଛନ୍ତି, ସଂଘ ତା’ର ପ୍ରତିଟି କାର୍ଯ୍ୟାଳୟରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସ ପାଳନ କରୁଛି। ଆରଏସ୍ଏସ ସାଂଗଠନିକ ପତାକା ବଦଳରେ ନିଜ ପ୍ରୋଫାଇଲରେ ତ୍ରିରଙ୍ଗା ଲଗାଇଛି। ସଂଘର ସଦସ୍ୟମାନେ ବେଶ ସକ୍ରିୟତାର ସହ ହର ଘର ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିବା ସେ କହିଛନ୍ତି।

Related Posts