(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ପରିପୂରକ ପୁଷ୍ଟି ଯୋଜନା ଅଧୀନରେ ଗର୍ଭବତୀ ଏବଂ ପ୍ରସୂତି ମହିଳା ମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ପ୍ରତ୍ୟେକ ଦିନ ୯ଟଙ୍କା ୫୦ ପଇସାର ବ୍ୟବସ୍ଥା ରହିଥିବା ବେଳେ ଶିଶୁ ମାନଙ୍କ ପାଇଁ ଏହି ଦର ୮ରୁ ୧୨ଟଙ୍କା ପର୍ଯ୍ୟନ୍ତ ରହିଛି । ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ।
ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି। ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପରିପୂରକ ପୁଷ୍ଟି ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ତାଲିକା ଅନୁଯାୟୀ ରାଜ୍ୟରେ ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପୁଷ୍ଟିସାଧନ ନିମନ୍ତେ ଦର ନିର୍ଦ୍ଧାରଣ କରାଯାଇଥାଏ।
ବର୍ତ୍ତମାନ ଦିଆଯାଉଥିବା ସହାୟତା ୨୦୧୮-୧୯ ଆର୍ଥିକବର୍ଷର ବଜାର ଦର ଅନୁଯାୟୀ ସମ୍ପୃକ୍ତ ଖାଦ୍ୟର ଦର ନିର୍ଦ୍ଧାରଣ କରାଯାଇଛି । ଏହି ପ୍ରାବଧନ ଅନୁଯାୟୀ ୬ମାସରୁ ୬ବର୍ଷ ବୟସର ସାଧାରଣ ଶିଶୁଙ୍କ ପାଇଁ ଦୈନିକ ୮ଟଙ୍କା, ୬ମାସରୁ ୬ବର୍ଷ ବୟସର ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ଲାଗି ଦିନକୁ ୧୨ଟଙ୍କା ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଦୈନିକ ୯ଟଙ୍କା ୫୦ ପଇସାର ବ୍ୟବସ୍ଥା କରାଯାଇଛି ।