(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏହି ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ରାଜ୍ୟରେ କରୋନାର ତୃତୀୟ ଲହର ଆଶଙ୍କା ଲାଗି ରହିଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ଏବେ ଖୋଲିବ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ଶ୍ରୀ ଦାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ଲହର ପାଇଁ ସମସ୍ତେ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ବର୍ତ୍ତମାନ ସମ୍ଭବ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସ୍କୁଲ୍ ଖୋଲିବା ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ ଦ୍ୱାରା ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ କେନ୍ଦ୍ର ସରକାର ବି ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଦେଖିବାକୁ ପଡ଼ିବ। ଏ ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ପାରିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଭାଗ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ସରକାରଙ୍କ ସମେତ କେତେକ ରାଜ୍ୟ ସରକାର ଦ୍ୱାରା ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବା ପରେ ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ସ୍କୁଲରେ ପାଠପଢ଼ା କେବେ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।