ବୟକଟ୍ ର ବଦଲା ନେଲେ ! ବେଙ୍ଗଲ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ର ଲେଖିଲା ଚିଠି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିଥିବା ଟିଏମସି ସରକାରକୁ ମାସଟିଏ ବି ହୋଇନି ପୁଣି ଥରେ କେନ୍ଦ୍ର ବନାମ ମମତା ଲଢେଇ ଆରମ୍ଭ ହୋଇଯାଇଛି। ଏହି ନୂତନ ବିବାଦ ଟି ଆରମ୍ଭ ହୋଇଛି ଆଜିର ବାତ୍ୟା ସମୀକ୍ଷା ବୈଠକରୁ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମମତା ବାନାର୍ଜୀ ପ୍ରାୟ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ରାଜନୀତି। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ମେ ୩୧ ଦିନ ୧୦ଟା ସୁଦ୍ଧା ନୂଆଦିଲ୍ଲୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କୁ ଲେଖାଯାଇଥିବା ଏହି ଚିଠିରେ କାର୍ମିକ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ କ୍ୟାବିନେଟର ନିଯୁକ୍ତି କମିଟି ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ର ନିୟମ 6 (1) 1954 ଅନୁଯାୟୀ  ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରରେ ଦାୟିତ୍ବ ଦେବାକୁ ଅନୁମୋଦନ କରିଛି। ତାଙ୍କୁ ତତ୍କାଳ ପ୍ରଭାବରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଅନୁଯାୟୀ ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହମତି କ୍ରମେ ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କୁ କେନ୍ଦ୍ର ସରକାର କିମ୍ବା ଅନ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ସେବା ପାଇଁ ଦାୟିତ୍ବ ଦିଆଯାଇପାରେ।ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ ଅଫିସର। ସେ ହାଓ୍ଵଡା ସମେତ ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନାଙ୍କ ଅବସର ପରେ ମୁଖ୍ୟ ସଚିବ ପଦରେ ନିଯୁକ୍ତ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନର ପ୍ରାୟ ଏକ ମାସ ପରେ ଆଜି ବାତ୍ୟା ସମୀକ୍ଷା ବୈଠକରେ ପ୍ରଥମ ଥର ପାଇଁ ମୁହାଁମୁହିଁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କଲାଇକୁଣ୍ଡାରେ ସମୀକ୍ଷା ବୈଠକ କରିଥିଲେ । ତେବେ ଏହି ବୈଠକରେ ମମତା ବାନାର୍ଜୀ ପ୍ରାୟ ଅଧଘଣ୍ଟା ବିଳମ୍ବରେ ପହଂଚିଥିଲେ । ମମତା ପ୍ରାୟ 15 ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବାତ୍ୟା କ୍ଷୟକ୍ଷତିର ଡକ୍ୟୁମେଣ୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେଇ ବୈଠକରୁ ଚାଲିଯାଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା “ୟାସ୍” ଦ୍ଵାରା ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳର ପୁନଃ ନିର୍ମାଣ ପାଇଁ ସେ 20,000 କୋଟି ଟଙ୍କା ପ୍ୟାକେଜ୍ ମାଗିଥିଲେ। ଏହା ପରେ କେନ୍ଦ୍ର ଓ ମମତାଙ୍କ ମଧ୍ୟରେ ବିବାଦ ବଢିଲା। ମମତାଙ୍କ ଏଭଳି ଆଚରଣକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଅନ୍ୟ ନେତା ମାନେ କଡା ସମାଲୋଚନା କରିଛନ୍ତି।

Related Posts