କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ପର୍ବ : ବାଦ୍ ପଡିଲେ ପ୍ରତାପ ଷଡଙ୍ଗୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ମନ୍ତ୍ରୀ ମାନଙ୍କ ଇସ୍ତଫା ପର୍ବ ଆରମ୍ଭ ହୋଇଛି । ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବାରେ ଲାଗିଛନ୍ତି । ମିଳିଥିବା ସୂଚନା ମୁତାବକ ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ବାଲେଶ୍ୱର ଆସନରୁ ଜିତିବା ପରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କୁ ଏମଏସ୍‌ଏମଇ ସହ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ , ସନ୍ତୋଷ ଗଙ୍ଗୱାରଙ୍କ ଭଳି ବଡ ବଡ ମନ୍ତ୍ରୀ ଇସ୍ତଫା ଦେଇଥିବା ଜଣାପଡିଛି । କୋଭିଡ୍ ମହାମାରୀ ନିୟମନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଶେଷରେ ଇସ୍ତଫା ଦେଇଛନ୍ତି। ବୁଧବାର ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ  କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା କରିବା ପାଇଁ ଦେଶକୁ ଜଣେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମିଳିବାକୁ ଯାଉଛି । ୨୦୧୯ ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ମହାମାରୀ କରୋନାର ଦ୍ୱିତୀୟ ଲହରରେ ସରକାରଙ୍କ ପରିଚାଳନାକୁ ନେଇ ସାରା ଦେଶରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ହୋଇପାରନ୍ତି। ସୂଚନାଯୋଗ୍ୟ, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨ ଜଣ ସଦସ୍ୟ ସ୍ଥାନ ପାଇବେ। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଟୁଡୁ ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବେ। ଏହାଛଡ଼ା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସଦାନନ୍ଦ ଗୌଡ଼ ମଧ୍ୟ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

Related Posts