ବିଧାନସଭାରେ ରେଭେନ୍ସା ଝଡ଼: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର,୫/୯(ସତ୍ୟପାଠ ବ୍ୟୁରୋ):   ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ, ଏବେ ବିଧାନସଭାରେ ମଧ୍ୟ ରେଭେନ୍ସା ଝଡ଼ ଦେଖିବାକୁ ମିଳିଛି | ଆଜି ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ | ଏନେଇ ବିବାଦ ବଢୁଥିବା ବେଳେ ଏ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି | ବ୍ୟୋମକେଶ ଗୃହରେ କହିଛନ୍ତି ଯେ, ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ, ନ’ଙ୍କ ଦୁର୍ଭିକ୍ଷ ସହ ଏହାକୁ ଯୋଡ଼ିବା ଠିକ୍ ନୁହେଁ | ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ଗୁରୁତ୍ୱ ଦେଇଥିଲେ | ରେଭେନ୍ସାଙ୍କ ଉଦ୍ୟମକୁ ଫକୀର ମୋହନ ଓ ଗୌରୀଶଙ୍କର ମଧ୍ୟ ପ୍ରଶଂସା କରିଥିଲେ | ସେ ଚାହିଁ ନଥିଲେ ତାଙ୍କ ନାଁରେ ରେଭେନ୍ସା କଲେଜ୍ ହେଉ | ନାଁ ପରିବର୍ତ୍ତନକୁ ନେଇ ଏବେ ରାଜ୍ୟରେ ଆନ୍ଦୋଳନ ବଢୁଛି, ତେଣୁ ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖନ୍ତୁ |

ବ୍ୟୋମକେଶଙ୍କ ପରେ ଏ ପ୍ରସଙ୍ଗରେ ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ ଯେ, ଏହା କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ମତ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ଏହାକୁ ବିରୋଧ କରୁଛନ୍ତି । ଏହାପରେ ଟଙ୍କଧରଙ୍କୁ କାଉଣ୍ଟର କରିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ ପଚାରିଥିଲେ, ଆପଣ ମାନୁଛନ୍ତି କି ରେଭେନ୍ସା ନାଁ ପରିବର୍ତ୍ତନ ଅଫିସିଆଲ୍ ଷ୍ଟେଟମେଣ୍ଟ । କଟକବାସୀଙ୍କ ଭାବନା ସହ ଖେଳନ୍ତୁନି ବୋଲି କହିଥିଲେ ସୋଫିଆ । ଏହାସହ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନକୁ ସେ ବିରୋଧ କରିଥିଲେ |

ସେହିପରି ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକ ସାରଦା ଜେନା କହିଥିଲେ, ଶିକ୍ଷାନୁଷ୍ଠାନ ନାଁ ପରିବର୍ତ୍ତନ ବଦଳରେ ଶିକ୍ଷାର ମାନ ଉନ୍ନତିକୁ ଗୁରୁତ୍ୱ ଦିଆଯାଉ। ସେହିପରି ଏ ପ୍ରସଙ୍ଗରେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଥିଲେ ଯେ, ନାଁ ପରିବର୍ତ୍ତନ ନେଇ ତର୍ଜମା ପାଇଁ କହିଥିଲେ କେନ୍ଦ୍ରମନ୍ତ୍ରୀ । ସେ ଗୃହର ସଦସ୍ୟ ନୁହନ୍ତି । ଗୃହର ନିୟମ ରହିଛି ଯେ, ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନଥିବେ ତାଙ୍କୁ ନେଇ ଆଲୋଚନା ହୋଇ ପାରିବ ନାହିଁ | ତେବେ କେନ୍ଦ୍ର ମନ୍ତ୍ରୀଙ୍କୁ ନେଇ ଆଲୋଚନା କାହିଁକି ବୋଲି ଈରାଶିଷ ପ୍ରଶ୍ନ କରିଥିଲେ । 

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁର ପରିବର୍ତ୍ତନ ନେଇ ମନ୍ତବ୍ୟ ରଖିବା ପରେ ଏହାକୁ ନେଇ ତେଜୁଛି ଆନ୍ଦୋଳନ | ଏହାକୁ ବହୁ ବୁଦ୍ଧିଜୀବୀ ଓ ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ ମାନେ ବିରୋଧ କରୁଥିବା ବେଳେ କିଛି ଗୋଷ୍ଠୀ ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି | ଯାହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି |

Related Posts