ହଟିଲା କଟକଣା; କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି (ଶନିବାର) ଠାରୁ ସମସ୍ତ ଚାରି ଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଶ୍ରଦ୍ଧାଳୁମାନେ ସମସ୍ତ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ, କିନ୍ତୁ କେବଳ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାରରେ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ନାଟମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ରହିଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ।

କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ଜିଲ୍ଲାପାଳ, ଏସ୍‌ପିଙ୍କ ସହିତ ଶ୍ରୀମନ୍ଦିର ତଥା ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଆସନ୍ତାକାଲିଠାରୁ ସମସ୍ତ ଚାରି ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।

ସୂଚନାଯୋଗ୍ୟ, କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୪ ଦ୍ବାର ବଦଳରେ ଭକ୍ତମାନଙ୍କୁ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିଲା। ଆଜି ପୂଣ୍ୟମାସ କାର୍ତ୍ତିକ ସରିଯାଇଛି। ଆସନ୍ତାକାଲି ଠାରୁ ମାର୍ଗଶୀର ଆରମ୍ଭ ହେବ। ଏହି ଅବସରରେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି।

Related Posts