ମରୁଡ଼ି ଘୋଷଣା ଦାବିକୁ ଅଗ୍ରାହ୍ୟ କଲେ ରାଜସ୍ବ ମନ୍ତ୍ରୀ , କହିଲେ – ‘ ଅକ୍ଟୋବର ୩୦କୁ ଅପେକ୍ଷା କର ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଗଷ୍ଟ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ଆବଶ୍ୟକ ସମୟରେ ଜଳସେଚନ ସୁବିଧା ନଥିବା କାରଣରୁ ବହୁ ସ୍ଥାନରେ ଇନ୍ଦ୍ର ଦେବତାଙ୍କ ଭରଷାରେ ଚାଷୀ। ଏପଟେ ମରୁଡ଼ି ସ୍ଥିତି ଉପୁଜିଛି। ଏବଂ ବିରୋଧୀ ମଧ୍ୟ ରାଜ୍ୟରେ ତୁରନ୍ତ ମରୁଡ଼ି ଘୋଷଣା ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ବିରୋଧୀଙ୍କ ମରୁଡ଼ି ଘୋଷଣା ଦାବିକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଅଗ୍ରାହ୍ୟ କରିଦେଇଛନ୍ତି। 

ମନ୍ତ୍ରୀ କହିଛନ୍ତି ଯେ, ମରୁଡ଼ି ଘୋଷଣା ପାଇଁ ଅକ୍ଟୋବର ୩୦ ଯାଏ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ ରାଜ୍ୟ ସରକାର ନିଜସ୍ବ ପଦ୍ଧତି ଅନୁସାରେ ରାଜ୍ୟରେ ମରୁଡ଼ି ଘୋଷଣା କରି ଚାଷୀଙ୍କୁ ସହାୟତା ଯୋଗାଇ ଦେଉଥିଲେ। କିନ୍ତୁ ଏବେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ମରୁଡ଼ି ପରିଚାଳନା ନିୟମାବଳୀ ଜାରି କରି ୫ଟି ମାପଦଣ୍ଡ ସ୍ଥିର କରିଛନ୍ତି । ଏହି ମାପଦଣ୍ଡ ଆଧାରରେ ମରୁଡ଼ି ଘୋଷଣା କରିବା ପାଇଁ ୨୦୧୭ ମାର୍ଚ୍ଚରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟର ଏହି ନିୟମ କହୁଛି ଯେ ଯଦି ଆବଶ୍ୟକ ପଡେ ତେବେ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ମରୁଡ଼ି ଘୋଷଣା କରାଯାଇ ପାରିବ। 

ବିଧାନସଭାରେ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ଯେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ୧ ଲକ୍ଷ ୧୯ ହଜାର ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ୨୦ଟି ଜିଲ୍ଲାର ୧୦୨ ବ୍ଲକ୍‌ରେ ବୃଷ୍ଟିପାତ ଅଭାବ ଯୋଗୁଁ ଧାନ ଚାଷ ବାଧାପ୍ରାପ୍ତ ହୋଇଛି।

ବର୍ଷା ଅଭାବରୁ ବର୍ତ୍ତମାନ ସୁଦ୍ଧା ୮୬,୪୪୮ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ କରାଯାଇଛି। ଜଳଭଣ୍ଡାର ଗୁଡ଼ିକରେ ମଧ୍ୟ ଗଚ୍ଛିତ ଜଳ କମ୍ ଅଛି। 

ତେବେ ଚଳିତ ମାସରେ ଲଘୁଚାପ ପ୍ରଭାବରେ ଭଲ ବୃଷ୍ଟିପାତ ହେବ ବୋଲି ଆଶା କରାଯାଉଛି। ଯଦି ଭଲ ବର୍ଷା ନ ହୁଏ, ତେବେ ଜଳଭଣ୍ଡାରରେ ଥିବା ଗଚ୍ଛିତ ଜଳର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ପାନୀୟ ଜଳ ଓ ପରେ ଜଳସେଚନ କଥା ଚିନ୍ତା କରାଯିବ।

ବର୍ତ୍ତମାନର ସ୍ବଳ୍ପ ବୃଷ୍ଟିଜନିତ ସମସ୍ୟା ଓ ସାମ୍ପ୍ରତିକ ଫସଲର ଅବସ୍ଥା ଉପରେ ସରକାର ନଜର ରଖିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କୃଷି ଓ ଜଳସମ୍ପଦ ବିଭାଗ ଫସଲ ରକ୍ଷା କରିବା ପାଇଁ ସବୁପ୍ରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

ସ୍ଥିତିର ଅନୁଧ୍ୟାନ କରିବା ପାଇଁ ୩୦ଟି ଜିଲ୍ଲାରେ ନୋଡାଲ୍‌ ଅଫିସର ନିଯୁକ୍ତି ଦିଆଯାଇଛି ଏବଂ ସେମାନେ ଜୁଲାଇ ଓ ଅଗଷ୍ଟ ମା‌ସରେ କ୍ଷେତ୍ର ପରିଦର୍ଶନ କରି ଫସଲର ଅବସ୍ଥା ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଆକଳନ କରିଛନ୍ତି। କୃଷି ଉତ୍ପାଦନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଚାଷ ଓ ପାଣିପାଗ ପର୍ଯ୍ୟବେକ୍ଷଣ କମିଟି ଗଠନ କରାଯାଇ ପ୍ରତ୍ୟେକ ସପ୍ତାହରେ ଚାଷ ଓ ପାଣିପାଗର ଅବସ୍ଥିତି ଉପରେ ସମୀକ୍ଷା କରାଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ଷା ଅଭାବର ମୁକାବିଲା ପାଇଁ ବିକଳ୍ପ ଚାଷ କରିବା ପାଇଁ ଚାଷୀଙ୍କୁ ଋଣ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଯଦି ସବୁ ପ୍ରକାର ଚେଷ୍ଟା ସତ୍ତ୍ବେ ଫସଲ ରକ୍ଷା କରାଯାଇ ନପାରେ , ତେବେ ନିୟମ ଅନୁସାରେ କୃଷି ଅବସ୍ଥାକୁ ସମ୍ପୂର୍ଣ୍ଣ ସମବେଦନାର ସହିତ ବିଚାର କରି ସରକାର ମରୁଡ଼ି ସମ୍ବନ୍ଧୀୟ ପଦକ୍ଷେପ ନେବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। 

Related Posts