ରିସେପ୍ସଟିନିଷ୍ଟ ଅଙ୍କିତା ଭଣ୍ଡାରୀ ମୃତ୍ୟୁ ଘଟଣା: ଅଭିଯୁକ୍ତମାନଙ୍କୁ ନିଜ ଘର ସାମ୍ନାରେ ଜିଅନ୍ତା ଜାଳି ଦିଆଯାଉ: ମୃତକଙ୍କ ମା

ଡେରାଡୁନ: ୧୯ ବର୍ଷୀୟ ରିସେପ୍ସଟିନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ସେପଟେ ମୃତ ଅଙ୍କିତାଙ୍କ ମା ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ହତ୍ୟାକାରୀଙ୍କୁ ଫାଶି ଦିଆଯିବା ଉଚିତ। ଯଦି ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ ଫାଶି ଦିଆ ନଯାଏ ସେମାନଙ୍କୁ ତାଙ୍କ ଘର ସମ୍ନାରେ ଜିଅନ୍ତା ଜାଳି ଦିଆଯିବା ଉଚିତ। ସେ ଆହୁରି କହିଛନ୍ତି ତାଙ୍କୁ ବିନା ଅବଗତରେ ଝିଅର ଅନ୍ତିମ ସଂସ୍କାର କରାଯାଇଛି। ଝିଅର ଅନ୍ତିମ ସଂସ୍କାର ବିଷୟରେ ମୋତେ ଅବଗତ କରାଯାଇ ନାହିଁ।

ପ୍ରଶାସନ ତରବରିଆ ଭାବେ ମୋ ଝିଅର ଶବ ସତ୍କାର କରିଥିବା ସେ କହିଛନ୍ତି। ରବିବାର ବହୁ ବାଦ ବିବାଦ ,ପ୍ରତାବଦ ଓ ଆନ୍ଦୋଳନ ପରେ ଅଙ୍କିତା ଭଣ୍ଡାରୀଙ୍କ ଶବ ସଂସ୍କାର କରାଯାଇଛି।

ଉତ୍ତରାଖଣ୍ଡରେ ପୋଡି ଗଡ଼ୱାଲ ସ୍ଥିତ ଶ୍ରୀନଗରର ଏନଆଇଟି ଘାଟରେ ରବିବାର ସଂଧ୍ୟାରେ ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ୧୯ ବର୍ଷୀୟ ଅଙ୍କିତା ଏକ ରିସର୍ଟରେ ରିସେପ୍ସଟିନିଷ୍ଟ ଭାବେ କାମ କରୁଥିଲେ। ପୁଲିସ ଏହି ମାମଲାରେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟଙ୍କ ସହ ରିସର୍ଟର ମ୍ୟାନେଜର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଅନ୍ୟପଟେ ଏହି ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାରେ ଲାଗିଛି । ଏହାରି ଭିତରି ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଅଙ୍କିତା ଭଣ୍ଡାରୀଙ୍କ ବାପାଙ୍କୁ ଭରଷା ଦେଇ ହତ୍ୟାକରୀଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ରିସର୍ଟ ମାଲିକ ତଥା ବହିଷ୍କୃତ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ଏବଂ ତାଙ୍କ ମ୍ୟାନେଜର ଓ ସହକାରୀ ମ୍ୟାନେଜରଙ୍କୁ ଶୁକ୍ରବାର ଗିରଫ କରାଯାଇ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରୋଭିଜନାଲ ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି ଯେ, ପାଣିରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପୂର୍ବରୁ ଶରୀରରେ କିଛି କ୍ଷତଚିହ୍ନ ଥିବା ଜଣାପଡ଼ିଛି।

ତେଣୁ ତାଙ୍କୁ ନିର୍ଯାତନା ଦେବାପରେ ନଦୀକୁ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଙ୍କିତାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମି ଏହାର ଏସ୍‌ଆଇଟି ତଦନ୍ତ ଆଦେଶ ଦେବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱସନା ଦେଇଛନ୍ତି। ବିରୋଧୀ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ହରିଶ ରାୱତ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଏବଂ ଦୁଇ ଅଭିଯୁକ୍ତଙ୍କୁ ଫାଶି ପାଇଁ ଦାବି କରିଛନ୍ତି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ପୁଲକିତ ଆର୍ଯ୍ୟଙ୍କ ଭାଇ ଏବଂ ପିତାଙ୍କୁ ଜେଲରେ ରଖାଯିବା ଉଚିତ ବୋଲି ବିରୋଧୀ ଓ ପରିବାର ସଦସ୍ୟ ଦାବି କରିଛନ୍ତି ।

ସେହିପରି କ୍ଷତି ପୂରଣ ବାବଦରେ ଅଙ୍କିତାଙ୍କ ପରିବାରକୁ କୋଟିଏ ଟଙ୍କା ଦିଆଯିବାକୁ ଦାବି ହୋଇଛି। । ଅଙ୍କିତାଙ୍କ ନାମରେ ଏକ ଗାଁ ରାସ୍ତା ନାମକରଣ ଏବଂ ‘ବେଟି ବାଚାଓ ବେଟି ପଢ଼ାଓ’ ଯୋଜନା ଅଧୀନରେ ତାଙ୍କ ନାମରେ ପୁରସ୍କାର ଘୋଷଣା ପାଇଁ ଦାବି ହୋଇଛି। ଏଥିସହ ଭଙ୍ଗାଯାଇବା ରିସର୍ଟ ସ୍ଥାନରେ ଅଙ୍କିତାଙ୍କ ନାମରେ ଏକ ସ୍ମାରକ ସୂରୁପ ଏକ କଲେଜ ନିର୍ମାଣ ପାଇଁ ଦାବି ହୋଇଛି।

Related Posts