ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରକାର ବଦଳିଲା। ହେଲେ ବଦଳିଲାନି ସରକାରୀ ବାବୁମାନଙ୍କ ମାନସିକତା। ତହସିଲଦାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଦସ୍ୟ | ରେଢ଼ାଖୋଲର ତହସିଲଦାର ଦେବାଶିଷ ପାତ୍ର ସବୁ ସୀମା ସରହଦ ଡେଇଁ, ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନଙ୍କୁ ଚପଲରେ ମାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ତହସିଲଦାରଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଧକ୍କା ଓ ମୁଥମାରି କାର୍ଯ୍ୟାଳୟ ଭିତରୁ ବାହାରି କରିଦେବା ଭଳି ଅଭାବନୀୟ ଘଟଣା ଘଟିଛି। ସେପଟେ ଏସବୁ ଅଭିଯୋଗକୁ ତହସିଲଦାର ଖଣ୍ଡନ କରିଛନ୍ତି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ବୁଧବାର ତହସିଲଦାର ଦେବାଶିଷ ପାତ୍ରଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ। ଶରତ ତାଙ୍କ ଜମିପଟ୍ଟା ପାଇଁ ଆବେଦନପତ୍ର କାହିଁକି ଖାରଜ କରାଗଲା ବୋଲି ପଚାରିଥିଲେ। ତହସିଲଦାର ପ୍ରଥମେ ସେ କିଛି ଜାଣିନାହାନ୍ତି କି କିଛି କରିପାରିବେ ନାହିଁ ବୋଲି କହିଥିଲେ।
ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ତହସିଲଦାର ମହାଶୟ ଶରତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଵା ସହ ଚପଲରେ ପିଟିବାକୁ ଉଦ୍ୟମ କରିଥିଲେ। ପରେ ତହସିଲଦାରଙ୍କ ନିର୍ଦେଶରେ ଜଣେ କର୍ମଚାରୀ ତାଙ୍କୁ ଧକ୍କା ଆଉ ମୁଥ ମାରିମାରି କାର୍ଯ୍ୟାଳୟରୁ ବାହାର କରିଦେଇଥିଲେ। ଏ ସମସ୍ତ ଘଟଣା ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଶରତ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।
ଅନ୍ୟପଟେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ତନ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ହଇଚଇ ହେବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘଟଣାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ଆପୋସ ବୁଝାମଣା ଉଦ୍ୟମ ଫେଲ୍ ମାରିଥିବା ଜଣାପଡ଼ିଛି। ଅପରପକ୍ଷରେ ବିଜେପି କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ସିସିଟିଭି କ୍ୟାମେରା ଜବତ କରି ତହସିଲଦାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।