ରାହୁଲ ଗାନ୍ଧିଙ୍କ ଇଚ୍ଛା ମୁଁ ସଭାପତି ନିର୍ବାଚନ ଲଢ଼ିବା ଦଳ ପାଇଁ ହିତକର : ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର ସମୟରେ ଅଧ୍ୟକ୍ଷ ପ୍ରାର୍ଥୀ ତଥା ସଂସଦ ଶଶି ଥରୁର ଏକ ବଡ ଅଭିଯୋଗ ଆଣିଛନ୍ତି। ଥରୁର ଦାବି କରିଛନ୍ତି ଯେ ଦଳର କିଛି ନେତା ତାଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କୁ ଅଭିଯୋଗ କରିଥିଲେ। ଏଥିସହ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବାକୁ ରାହୁଲ ଗାନ୍ଧି ତାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କିଛି ନେତା ରାହୁଲଙ୍କୁ ଅନୁରୋଧ କରିଥିଲେ ବୋଲି ଶଶି ଥରୁର କହିଛନ୍ତି। ତେବେ କେରଳ ପିସିସି ସଭାପତି କେ ସୁଧାକରନ ନିକଟରେ ଖୋଲାଖୋଲି ଭାବେ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ଏହି ବୟାନର କିଛି ଦିନ ପରେ ଥରୁର ଏପରି କହିଛନ୍ତି।

ଏହି ଅଭିଯୋଗ ଆଣି ଥରୁର କହିଛନ୍ତି ଯେ, “କିଛି ନେତା ମୁଁ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଦିଏ ବୋଲି ଚାହୁଁଥିଲେ। ଏନେଇ ସେମାନେ ରାହୁଲ ଗାନ୍ଧିଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ରାହୁଲ ଗାନ୍ଧି ସେମାନଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ। କାରଣ ରାହୁଲ ଗାନ୍ଧି ଚାହୁଁଛନ୍ତି ଯେ ମୁଁ ଅଧ୍ୟକ୍ଷ ନିର୍ବାଚନ ଲଢ଼େ। ମୁଁ ନିର୍ବାଚନ ଲଢ଼ିବା ଦଳ ପାଇଁ ହିତକର ବୋଲି ରାହୁଲ ଜାଣନ୍ତି। ତେବେ ଦଳର ଗୋଟିଏ ବଡ଼ ଗୋଷ୍ଠୀ ମୋତେ ମୋତେ ସମର୍ଥନ କରୁନାହାନ୍ତି। କିନ୍ତୁ ଦଳର ଭୋଟିଂ ପ୍ରକ୍ରିୟା ସଂପୂର୍ଣ୍ଣ ଗୋପନୀୟ। ଏଥିରେ କୌଣସି ଭୋଟର ଚିହ୍ନା ପଡ଼ିଯିବାର ଆଦୌ ଭୟ ରଖି ମତଦାନ କରନ୍ତୁ ନାହିଁ। ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀଙ୍କ ପକ୍ଷରୁ ସର୍କ୍ୟୁଲାର ଆସିବା ପୂର୍ବରୁ ସମ୍ଭବତଃ ସେମାନେ(କେରଳ ପିସିସି) ପକ୍ଷରୁ ବୟାନ ଆସିଥିଲା। ଏହି ସମାନ୍ୟ ବୟାନ ପାଇଁ ମୁଁ ଅଭିଯୋଗ କରିବାକୁ ଯିବିନି। ମୁଁ ଭାବୁଛି ଗାଇଡଲାଇନ ଆସିବା ପୂର୍ବରୁ ସେମାନେ ଏପରି ବୟାନ ଦେଇଥିଲେ। ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ କଥା ଦେଇଛନ୍ତି ଯେ ଦଳ ପକ୍ଷରୁ କାହାକୁ ବି ପ୍ରାର୍ଥୀ କରାଯାଇନି। ସେମାନେ ମଧ୍ୟ ପୂରା ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷ ହୋଇ ରହିବେ।”

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ସର୍କ୍ୟୁଲାର ସୋମବାର ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଏଆଇସିସିର ସାଧାରଣ ସମ୍ପାଦକ, ଇନଚାର୍ଜ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳର ନେତା, ବିଭିନ୍ନ ସଂଗଠନର ମୁଖିଆ, ସେଲ ଓ ଅଫିସିଆଲ ମୁଖପାତ୍ର ମାନେ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ପ୍ରଚାର କରିପାରିବେ ନାହିଁ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଥରୁରଙ୍କ ସହ ଖାଡଗେଙ୍କ ପ୍ରତିଦ୍ବନ୍ଦିତା ହେଉଛି। ଖାଡଗେଙ୍କୁ ଦଳର ଅଧିକାଂଶ ସଦସ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ତେବେ ଦଳରେ ପରିବର୍ତ୍ତନର ନାରା ଦେଇ ଥରୁର ନିଜର ପ୍ରଚାର କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବ। ସେହିପରି ୧୯ ତାରିଖରେ ଗଣତି ସହ ଫଳ ପ୍ରକାଶ ପାଇବ। ପ୍ରାୟ ୯ ହଜାର ପଞ୍ଜୀକୃତ କଂଗ୍ରେସ ପଦାଧିକାରୀ ଏହି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ।

Related Posts