ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଖ୍ୟାତିସମ୍ପନ୍ନ ସମାଜସେବୀ ମା’ରମାବେଦୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଭବ୍ୟ କାର୍ଯ୍ୟକ୍ରମ ଆଧାରରେ ରାଜ୍ୟ ସରକାର ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍ତି ।
ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ମଇଦାନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ସୂଚନା ଦେବା ସହ ପୂଜ୍ୟପୂଜାକୁ ତାଙ୍କ ସରକାର ସମ୍ମାନ ଦେଇ ଆସୁଛନ୍ତି ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ୧୮୯୯ ଡିସେମ୍ବର ୩ତାରିଖରେ ମା’ ରମାଦେବୀଙ୍କ ଜନ୍ମ ହୋଇଥିଲା । ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନିଜ ଝିଆରୀ । ପିଲାଦିନରୁ ମଧୁବାବୁଙ୍କ ଆଦର୍ଶରେ ସେ ଅନୁପ୍ରାଣିତା ଥିଲେ । ପରବର୍ତ୍ତୀ ସମୟରେ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଗୋପବନ୍ଧୁ ଚୌଧୁରୀ ଉଚ୍ଚ ସରକାରୀ ପଦବୀରୁ ଇସ୍ତଫା ଦେଇ ସ୍ୱାଧୀନତା ଆନ୍ଦୋଳନ ଓ ରଚନାତ୍ମକ କାର୍ଯ୍ୟକ୍ରମରେ ସାରା ଜୀବନ କାମ କରିଥିଲେ ।
୧୯୨୧ରୁ ୧୯୮୫ରେ ମୃତ୍ୟୁ ପର୍ଯ୍ୟନ୍ତ ମା’ ରମାଦେବୀ ଗାନ୍ଧୀ ଆଦର୍ଶରେ ଅଟଳ ରହିବା ସହିତ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରି ସାରା ପରିବାରକୁ ଦେଶ ସେବାପାଇଁ ସମର୍ପିତ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ କାଳରେ ସେ ନିଜେ ଚାରିଥର ଜେଲ୍ ଯାଇଥିବାବେଳେ ଜରୁରୀ ସମୟରେ ବି ସ୍ୱାଧୀନ ଭାରତରେ ନଜରବନ୍ଦୀ ଥିଲେ । କେବଳ ରମାଦେବୀ ନୁହନ୍ତି, ତାଙ୍କ ପୁଅ, ଝିଅ, ଜ୍ୱାଇଁ, ଝିଆରୀଙ୍କ ସମେତ ପରିବାରର ଅନ୍ୟୁନ ୮ଜଣ ସ୍ୱାଧୀନତା ଆନ୍ଦୋଳନରେ କାରାବରଣ କରିଥିବାବେଳେ ୧୯୭୫ର ଜରୁରୀ ପରିସ୍ଥିତିବେଳେ ବି ଚୌଧୁରୀ ପରିବାରର ତିନି ଜଣ କାରାଗାରରେ ଥିଲେ ।
୧୯୨୧ରୁ ୧୯୪୬ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କର ସମସ୍ତ ଓଡିଶାଗସ୍ତ କାର୍ଯ୍ୟକ୍ରମରେ ରମାଦେବୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏମିତିକି ଓଡିଶାରେ ତାଙ୍କ ପଦଯାତ୍ରା କାର୍ଯ୍ୟକ୍ରମର ବି ସେ ସଂଯୋଜିକା ଥିଲେ । ରାଜ୍ୟର ମହିଳା ଓ ଛାତ୍ରମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସଂଶ୍ଳିଷ୍ଟକରିବା କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ଥିଲା । ଭାଗଲପୁର ଓ ହଜାରୀବାଗ ଜେଲରେ ମଧ୍ୟ ସେ ବହୁବର୍ଷ ବିତାଇଥିଲେ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ, ଜୟ ପ୍ରକାଶଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନର ସେ ଅନ୍ୟତମ ସଂଚାଳିକା ଥିଲେ । ଚରକା ସଂଘ, ହରିଜନ ସେବକ ସଂଘ, କେଜିଏମଏନ ଟ୍ରଷ୍ଟ ଭଳି ବିଭିନ୍ନ ସର୍ବଭାରତୀୟ ସଂଗଠନର କର୍ମକର୍ତ୍ତା ଭାବେ ଗାନ୍ଧୀଜୀ ତାଙ୍କୁ ମନୋନୟନ କରିଥିଲେ । ଏହାଛଡା ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଦି କ୍ଷେତ୍ରରେ ସମସ୍ୟାର ସମାଧାନ ଲାଗି ତାଙ୍କର ଅନବଦ୍ୟ ଅବଦାନ ଥିଲା ।
ପୂର୍ବରୁ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ବିଭିନ୍ନ ମହଲରୁ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ନଥିପତ୍ରରେ ଅଟକି ଯାଇଥିବାବେଳେ ଆଜିର ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ବହୁ ବକ୍ତା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗ ଉଠାଇଥିଲେ । ସରକାର କାର୍ଯ୍ୟକ୍ରମ ଆରମ୍ଭ କରିନଥିବାବେଳେ ବେସରାରୀ ଭାବେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମା’ ରମାଦେବୀଙ୍କ ୧୨୫ତମ ଜନମବାର୍ଷିକୀ କାର୍ଯ୍ୟକ୍ରମ ଜାରି ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖୁବ୍ଶୀଘ୍ର ରାଜ୍ୟ ସରକାର ଏ ସଂକ୍ରାନ୍ତରେ ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।