15ରେ ଦାୟିତ୍ଵ ଗ୍ରହଣ କରିବେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ରାଜୀବ କୁମାର। ସେ ଆସନ୍ତା ୧୫ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟକାଳ ୧୪ ତାରିଖରେ ଶେଷ ହେବ।

ଏହାପରେ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଏନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଏଥିସହ ସେ ନିଯୁକ୍ତି ସଂକ୍ରାନ୍ତ ଗୋଟିଏ ବିଜ୍ଞପ୍ତିକୁ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଥିବା ଉଲ୍ଲେଖ ରହିଛି। ଏଥିସହ ରାଜୀବ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ରିଜିଜୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମସିହା ସେପ୍ଟେମ୍ବର ୧ରେ ଶ୍ରୀ କୁମାର ଦେଶର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ହେବା ପୂର୍ବରୁ ସେ ୨୦୨୦ ଏପ୍ରିଲରେ ପବ୍ଲିକ ଇଣ୍ଟରପ୍ରାଇଜେସ ସିଲେକସନ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ। ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଶ୍ରୀ କୁମାର ବିହାର/ଝାରଖଣ୍ଡ କାର୍ଡର। ସେ ୨୦୨୦ ଫେବୃଆରୀ ମାସରେ ଆଇଏଏସ୍‌ ଚାକିରିରୁ ଅବସର ନେଇଥିଲେ।

୧୯୬୦ ମସିହା ଫେବୃଆରୀ ୧୯ରେ ଜନ୍ମ ଗ୍ରହଣ କରିଥିବା ରାଜୀବ କୁମାର ବିଏସ୍‌ସି, ଏଲଏଲବି, ପିଜିଡିଏମ ଓ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

Related Posts