ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବନ୍ୟା ସମୟରେ ମହିଳାମାନେ ସାନିଟାରୀ ପ୍ୟାଡ୍ ଅଭାବରୁ କିପରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେ ସମ୍ପର୍କରେ ଅନୁସନ୍ଧାନମୂଳକ ଖବର ଉପସ୍ଥାପନ କରିଥିବା ଓଟିଭିର ସାମ୍ବାଦିକା ପ୍ରଜ୍ଞା ଭାରତୀ ଚୌଧୁରୀଙ୍କୁ ଜାତୀୟ ସ୍ତରର ସମ୍ମାନଜନକ ଲାଡଲୀ ମିଡିଆ ପୁରସ୍କାରରେ ସମ୍ମାନିତ କରାଯାଇଛି l ପ୍ରଜ୍ଞାଙ୍କ ସହିତ ଓଟିଭି କ୍ୟାମେରାପର୍ସନ ଜ୍ୟୋତ୍ସାରାଣୀଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି l
ରାଜସ୍ଥାନ ଜୟପୁର ସ୍ଥିତ ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟର(RIC)ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ପ୍ରଜ୍ଞା ଏହି ସମ୍ମାନ ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବାବା ଆମତେ ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଦେବସ୍ୱରୂପ, UNFPAର ପଲିସି ମୁଖ୍ୟ ଜୟଦୀପ ବିଶ୍ୱାସ ଏବଂ ପପୁଲେସନ ଫାଷ୍ଟ (Population First)ର ସିଇଓ ଡକ୍ଟର ଏ.ଏଲ୍ ସାରଦା ପ୍ରଜ୍ଞାଙ୍କୁ ଲାଡଲୀ ସମ୍ମାନରେ ସମ୍ମାନିତ କରିଥିଲେ l
ପପୁଲେସନ ଫାଷ୍ଟ ଅନୁଷ୍ଠାନ ପକ୍ଷରୁ ଜେଣ୍ଡର୍ ସେନସିଟିଭ୍ ରିପୋର୍ଟିଂ ପାଇଁ ପ୍ରତିବର୍ଷ ବଛା ବଛା ସାମ୍ବାଦିକଙ୍କୁ ଏହି ସମ୍ମାନଜନକ ଜାତୀୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଥାଏ l ଏଥର ସାରା ଦେଶରୁ 13ଟି ଭାଷାରେ 857ଟି ଏଣ୍ଟ୍ରି ମଧ୍ୟରୁ 87ଜଣଙ୍କୁ ପୁରସ୍କୃତ କରାଯାଇଛି l ଆଞ୍ଚଳିକ ଭାଷାରେ ପ୍ରଜ୍ଞାଙ୍କ ନ୍ୟୁଜ୍ ରିପୋର୍ଟକୁ ଏକ ଉତ୍କୃଷ୍ଟ ମାନର ଅନୁସନ୍ଧାନମୂଳକ ଖବର ବୋଲି ବିଚାରକମଣ୍ଡଳି ମତବ୍ୟକ୍ତ କରିଥିଲେ l
ଗତ ବର୍ଷ 2022 ଅଗଷ୍ଟ ମାସର ବନ୍ୟା ସମୟରେ ଜଳବନ୍ଦୀ ଅବସ୍ଥାରେ ଥିବା ପୁରୀର ଗୋପ୍ ବ୍ଲକ ଅନ୍ତର୍ଗତ ଏକାଧିକ ଗାଁରେ ପ୍ରଜ୍ଞା ନିଜ ଟିମ୍ ସହ ପହଞ୍ଚି ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଥିଲେ l ଜଳବନ୍ଦୀ ଅବସ୍ଥାରେ ମହିଳାମାନେ କିପରି ସାନିଟାରୀ ପ୍ୟାଡ୍ ଅଭାବରୁ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ଆପଣାଇ ହନ୍ତସନ୍ତ ହେଉଛନ୍ତି ତାହାର ସ୍ପଷ୍ଟ ଚିତ୍ର ଲୋକଲୋଚନକୁ ଆଣି ସରକାରଙ୍କୁ ରିଲିଫ୍ ସାମଗ୍ରୀ ସହ ସାନିଟାରୀ ପ୍ୟାଡ୍ ମଧ୍ୟ ଯୋଗାଇ ଦେବାକୁ ଅପିଲ୍ କରିଥିଲେ ପ୍ରଜ୍ଞା l ଖବର ପ୍ରସାରଣର ମାତ୍ର କେଇ ଘଣ୍ଟା ଭିତରେ ସରକାର ଓଡ଼ିଶା ରିଲିଫ କୋଡରେ ଅନ୍ତର୍ଭୁକ୍ତ କରିଥିଲେ l
ପ୍ରକାଶ ଥାଉକି, ଡେଭଲପମେଣ୍ଟ ଜର୍ଣ୍ଣାଲିଜମ୍ ପାଇଁ ପ୍ରଜ୍ଞାଙ୍କୁ ଓଡ଼ିଆ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା l ପ୍ରାୟ ଏକ ଦଶନ୍ଧି ଧରି ସାମ୍ବାଦିକ ଭାବେ କାମ କରୁଥିବା ପ୍ରଜ୍ଞା ସାମ୍ବାଦିକତାର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଆସିଛନ୍ତି l ପ୍ରିଣ୍ଟ, ଟିଭି ଏବଂ ଡିଜିଟାଲ ମିଡିଆରେ ଏକ ଦାୟିତ୍ୱବାନ ସାମ୍ବାଦିକା ଭାବେ ସେ ନିଜକୁ ପ୍ରମାଣିତ କରିଆସିଛନ୍ତି l ଉତ୍କଳ ବିଶ୍ୱବିଦ୍ୟାଳରୁ କମ୍ପ୍ୟୁଟର ଆପଲିକେସନରେ ସ୍ନାତକ, ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ପ୍ରଜ୍ଞା ମୂଳତଃ ରାୟଗଡ଼ା ନିବାସୀ l ପ୍ରଜ୍ଞା ପ୍ରମୁଖ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗେଶ୍ୱର ଚୌଧୁରୀ ଏବଂ ଗୃହିଣୀ ନିରୁପମା ଚୌଧୁରୀଙ୍କ କନ୍ୟା l