ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ କଂଗ୍ରେସର ଅଡ଼ୁଆ ବଢ଼ିବାରେ ଲାଗିଛି । ଜଣେ ପରେ ଜଣେ ନେତା ଦଳ ଛାଡ଼ି ଅନ୍ୟ ଦଳରେ ଯାଇ ମିଶିବାରେ ଲାଗିଛନ୍ତି । ଯାହା କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି । କେବଳ କଂଗ୍ରେସ ନୁହଁ ବରଂ ଅନ୍ୟ ଦଳମାନଙ୍କର ନେତାମାନେ ମଧ୍ୟ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯାଇ ମିଶିବାରେ ଲାଗିଛନ୍ତି । କିନ୍ତୁ ନେତାମାନଙ୍କର ଅଦଳବଦଳରେ ବିଶେଷ ପ୍ରଭାବିତ ହୋଇଛି କଂଗ୍ରେସ । ନିର୍ବାଚନକୁ ଆଉ ମାତ୍ର କିଛିଦିନ ରହିଥିବାବେଳେ ଦଳର ବରିଷ୍ଠ ନେତାମାନେ ଦଳ ଛାଡ଼ି ଅନ୍ୟଦଳରେ ମିଶୁଛନ୍ତି । ଏପରିକି ଗୋଟିଏ ମାସ ମଧ୍ୟରେ ହିଁ କଂଗ୍ରେସର ୧୦ ବରିଷ୍ଠ ନେତା ଦଳ ଛାଡ଼ି ଗଲେଣି । କିଛି ଦିନ ପୂର୍ବରୁ ଦଳର ବରିଷ୍ଠ ନେତା ଆରପିଏମ ସିଂହ ମଧ୍ୟ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି । ଯାହା କଂଗ୍ରେସର ଉତ୍ତରପ୍ରଦେଶ ରାଜନୀତିରେ ଉପରେ ବେଶ ପ୍ରଭାବ ପକାଇଛି । ସେପଟେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସର ଜିତିବା ସମ୍ଭାବନା କମ ଥିବା କାରଣରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେଉଥିବାର ଅନୁମାନ କରାଯାଉଛି ।
ଅନ୍ୟପଟେ ୨୦୧୭ ମସିହାରେ ଜିତିଥିବା ବିଧାୟକଙ୍କ ମଧ୍ୟରୁ ରାଜ୍ୟ ସଭାପତି ଅଜୟ କୁମାର ଲାଲୁ ଏବଂ କଂଗ୍ରେସ ବିଧାୟକ ଦଳର ନେତା ଆରାଧନା ମିଶ୍ରଙ୍କ ବ୍ୟତୀତ ସମସ୍ତେ ଦଳ ଛାଡ଼ିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଅତି କମରେ ୧୦ ଜଣ ବିଶିଷ୍ଟ ନେତା କଂଗ୍ରେସ ଛାଡିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଯେପରିକି ଆରପିଏନ୍ ସିଂ ଦଳର ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ଥିଲେ। ଏବଂ ଝାଡ଼ଖଣ୍ଡର ଏଆଇସିସି ଦାୟିତ୍ୱରେ ଥିଲେ। ଏପରିକି ସୁପ୍ରିୟା ଆରୋନ୍ ଏବଂ ହାୟଦାର ଅଲି ଖାନଙ୍କ ପରି ଅନେକ ମଧ୍ୟ ଦଳ ଛାଡିଛନ୍ତି। ଏହି ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କଂଗ୍ରେସ ପକ୍ଷରୁ ଟିକେଟ୍ ମଧ୍ୟ ଦିଆଯାଇଥିଲା। କିନ୍ତୁ ପାର୍ଟୀରେ ରହିବାକୁ ବୋଧହୁଏ ତାହା ପର୍ୟ୍ୟାପ୍ତ ନଥିଲା । ତେଣୁ ଜଣେ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଏହି ତାଲିକାରେ ଦଳର ବରିଷ୍ଠ ନେତା ଇମ୍ରାନ ମାସୁଦ ମଧ୍ୟ ଅଛନ୍ତି । ଯିଏ ପଶ୍ଚିମ ୟୁପିର ସବୁଠାରୁ ପ୍ରତିଷ୍ଠିତ ମୁସଲମାନ ଚେହେରା ଥିଲେ ।
ମାସୁଦଙ୍କୁ ୟୁପି ଉପ-ସଭାପତି ଏବଂ ଏଆଇସିସି ସଚିବ ମଧ୍ୟ କରାଯାଇଥିଲା। କିନ୍ତୁ ସେ କିଛି ଦିନ ପୂର୍ବରୁ ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିଲେ । ଏପରିକି ଇମ୍ରାନ ମସୁଦ ସହାରନପୁରରୁ ସ୍ୱାଧୀନ ବିଧାୟକ ମଧ୍ୟ ହୋଇଥିଲେ । ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଘୃଣ୍ୟ ଭାଷଣ ପାଇଁ ସେ ୨୦୧୪ ରେ ଲାଇମଲାଇଟକୁ ଆସିଥିଲେ। ତେବେ ଦଳ ବଦଳାଇବା ପରେ ମଧ୍ୟ ଏସପି ତାଙ୍କୁ ୨୦୨୨ ବିଧାନସଭା ନିର୍ବାଚନରେ ଟିକେଟ ଦେଇନଥିବାର ଦେଖିବାକୁ ମିଳିଛି । ମାସୁଦଙ୍କ ବ୍ୟତୀତ କଂଗ୍ରେସ ବରେଲିର ପୂର୍ବତନ ମେୟର ସୁପ୍ରିୟା ଆରୋନ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏପରିକି ସୁପ୍ରିୟାଙ୍କୁ ବରେଲି କ୍ୟାଣ୍ଟନମେଣ୍ଟରୁ କଂଗ୍ରେସ ଟିକେଟ ଦେଇଥିଲା । କିନ୍ତୁ ସେ ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ସାଂସଦ ପ୍ରବୀଣ ସିଂ ଆରୋନଙ୍କ ସହ ଏସପିରେ ଯୋଗ ଦେଇଥିଲେ। ସେପଟେ କଂଗ୍ରେସ ପ୍ରାର୍ଥୀଙ୍କ ଅପେକ୍ଷା ଏସପି ପ୍ରାର୍ଥୀ ଭାବରେ ଜିତିବାର ଅଧିକ ସମ୍ଭାବନା ରହିଛି କହି ସୁପ୍ରିୟା ଦଳ ଛାଡ଼ିଛନ୍ତି ବୋଲି ବରେଲିରେ କଂଗ୍ରେସ ନେତାମାନେ କହିଛନ୍ତି ।
ସେହିପରି ରାମପୁରର ଯୁବ ନେତା ହାଇଦର ଅଲ୍ଲୀ ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ରାମପୁରର ସ୍ୱର ବିଧାନସଭା ଆସନରୁ ଟିକେଟ ମିଳିବା ପରେ ମଧ୍ୟ କଂଗ୍ରେସ ଛାଡ଼ି ସେ ବିଜେପିର ସହଯୋଗୀ ଆପ୍ନା ଦଳରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ପୂର୍ବାଞ୍ଚଳର କଂଗ୍ରେସର ବଡ ନେତା ଲଲିତେଶ ପତି ତ୍ରିପାଠୀ ମଧ୍ୟ ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ସେହିପରି ରାୟବରେଲିରୁ ଦଳର ବିଧାୟକ ଅଦିତି ସିଂହ, ସହାରନପୁର ଦୁଇ ବିଧାୟକ ନରେଶ ସାଇନି ଓ ମାସୁଦ ଅଖତର ଦଳରୁ ଇସ୍ତଫା ଦେଇଛନ୍ତି । ଦଳରୁ ବରିଷ୍ଠ ନେତା ବାଦ ପଡ଼ିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସକୁ ଦୁର୍ବଳ କରିଦେଇଛି । ବର୍ତ୍ତମାନ ଦେଖିବାର ବିଷୟ ଚଳିତଥର ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିପରି ରହୁଛି ।