ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ଦେଶର ସର୍ବୋଚ୍ଚ କୋର୍ଟ କେୟାର ଟେକରକୁ ନେଇ ବଡ଼ ଶୁଣାଣି କରିଛନ୍ତି । ତେବେ କୌଣସି ସମ୍ପତ୍ତିର ଦେଖାଶୁଣା କରୁଥିବା କର୍ମଚାରୀ ଅବା କେୟାର ଟେକର ସମ୍ପୃକ୍ତ ସମ୍ପତ୍ତିର ମାଲିକ ହୋଇପାରିବେ ନାହିଁ । ସେମାନେ ଏହାର ରକ୍ଷଣାବେକ୍ଷଣ ଯେତେବର୍ଷ କଲେ ମଧ୍ୟ ଏହାର ମାଲିକାନା ତାଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ବିଚାରପତି ଅଜୟ ରସ୍ତୋଗି ଏବଂ ଏ.ଏସ. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିବାର ସୂଚନା ମିଳିଛି ।
ଏହା ସହ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ସମ୍ପତ୍ତି ର ମାଲିକାନା ପାଇଁ କର୍ମଚାରୀ ଅବା କେୟାର ଟେକରଙ୍କ ପକ୍ଷରୁ କୌଣସି ଦାବି କରାଯାଇ ପାରିବ ନାହିଁ । କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶକୁ ଶୀର୍ଷକୋର୍ଟ ଖାରଜ କରି ଦେଇଛନ୍ତି । ତେବେ କୋଲକାତା ହାଇକୋର୍ଟ ସମ୍ପତ୍ତିର ଦେଖାଶୁଣା କରୁଥିବା କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇଥିଲେ । ଏବେ ସର୍ବୋଚ୍ଚ ନ୍ୟାୟାଳୟ ୩ ମାସ ମଧ୍ୟରେ ସମ୍ପତ୍ତି ଖାଲି କରି ମାଲିକଙ୍କୁ ଦେବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅବୈଧ କବଜା ନଛାଡ଼ିଲେ କର୍ମଚାରୀଙ୍କ ବିରୋଧରେ ଦୃଢ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପୀଠଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବାର ସୂଚନା ମିଳିଛି ।