5G ଟେଷ୍ଟବେଡ୍ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଛନ୍ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ 5G ଟେଷ୍ଟବେଡ୍ ଲଞ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୋତେ ଦେଶର ନିଜର, ସ୍ୱଦେଶୀ ନିର୍ମିତ 5G ଟେଷ୍ଟବେଡ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର ସୁଯୋଗ ମିଳିଛି। ଏହାସହ ଟେଲିକମ ସେକ୍ଟରରେ କ୍ରିଟିକଲ ଏବଂ ଆଧୁନିକ ଟେକ୍ନୋଲଜିର ଆତ୍ମନିର୍ଭରତାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପ ସହ ଜଡିତ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା’। ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, 5Gi ରୂପରେ ଦେଶର ନିଜର ଯେଉଁ 5G ଷ୍ଟାଣ୍ଡର୍ଡ ହୋଇଛି, ତାହା ଦେଶ ପାଇଁ ଗର୍ବର ବିଷୟ। ଏହା ଦେଶର ଗାଁରେ 5G ଟେକ୍ନୋଲଜି ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିବ। ଏହଛଡା ସେ କହିଛନ୍ତି, ଏକବିଂଶ ଶତାବ୍ଦୀର ଭାରତରେ ଯୋଗାଯୋଗ ଭାରତର ପ୍ରଗତିର ଗତି ନିର୍ଦ୍ଧାରଣ କରିବ। ଏଥିପାଇଁ ପ୍ରତିଟି ସ୍ତରରେ ଯୋଗଯୋଗାକୁ ଆଧୁନିକ କରିବାକୁ ହେବ।

ପିଏମ ମୋଦୀ କହିଛନ୍ତି, 5G ଟେକ୍ନୋଲଜି ଦେଶରେ ପରିଚାଳନାରେ ଇଜ୍ ଅଫ୍ ଲିଭିଂ ଏବଂ ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏହାଦ୍ୱାରା କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ପ୍ରତ୍ୟେକ କ୍ଷେତ୍ରରେ ବିକାଶକୁ ବଳ ମିଳିବ। ଏହାଦ୍ୱାରା ରୋଜଗାରର ଅନେକ ଅବସର ସୃଷ୍ଟି ହେବ।

ପିଏମ ମୋଦୀ କହିଛନ୍ତି, ଏକ ଆକଳନ ଅନୁଯାୟୀ ଭବିଷ୍ୟତରେ 5G ଭାରତୀୟ ଅର୍ଥବ୍ୟବସ୍ଥାରେ ୪୫୦ ବିଲିୟନ ଡାଲରର ଯୋଗଦାନ କରିବ। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଆମେ 6G ସେବା ଆରମ୍ଭ କରିବା ପାଇଁ ସକ୍ଷମ ହେବା ଦରକାର। ଏହା ଉପରେ ଆମ ଟାସ୍କ ଫୋର୍ସ କାମ କରିବା ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଏକ ଡାକ ଟିକେଟ୍ ମଧ୍ୟ ଜାରି କରିଥିଲେ। ଏବଂ ଆଇଆଇଟି ମାଦ୍ରାସର ନେତୃତ୍ୱରେ ମୋଟ ଆଠଟି ସଂସ୍ଥା ଦ୍ୱାରା ବିକଶିତ 5G ଟେଷ୍ଟବେଡର ଶୁଭାରମ୍ଭ କରିଥିଲେ। ଏହି ଅବସର ପ୍ରଧାନମନ୍ତ୍ରୀ ମୋଦୀ 2G ଏବଂ ତତ୍କାଳୀନ ସରକାରକୁ ଟାର୍ଗେଟ କରିଥିଲେ। ସେହି ସମୟକୁ ଭ୍ରଷ୍ଟାଚାର ଏବଂ ନୀତିଗତ ପଙ୍ଗୁତା ସହ ତୁଳନା କରିଥିଲେ। ବର୍ତ୍ତମାନର ସରକାର 3G, 4G, 5G ଏବଂ 6G ସେବା ଆରମ୍ଭ ପାଇଁ ଦ୍ରୁତ ଗତିରେ ଆଗକୁ ବଢୁଛି । ଏହି ପରିବର୍ତ୍ତନ ଅତି ସରଳ ଏବଂ ପାରଦର୍ଶିତାର ସହ ହୋଇଛି ଏବଂ ଏଥିରେ ଟ୍ରାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୮ ବର୍ଷରେ ପହଞ୍ଚ (Reach), ସଂସ୍କାର (Reform), ପରିଚାଳନା(Regulate), ସଠିକ ପଦକ୍ଷେପ (Respond), ବୈପ୍ଲବିକ ପରିବର୍ତ୍ତନ (Revolutionize)ର ପଞ୍ଚାମୃତରେ ଆମେ ଦୂରସଂଚାର ସେକ୍ଟରରେ ନୂଆ ଉର୍ଜାର ସଂଚାର କରିଛୁ।

Related Posts