ଆସନ୍ତାକାଲିଠୁ ରାଷ୍ଟ୍ରପତିଙ୍କ ୨ଦିନିଆ ଓଡିଶା ଗସ୍ତ; ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ମୁତୟନ ହେବେ ୫୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାପରେ ପ୍ରଥମଥର ପାଇଁ ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ତେଣୁ ତାଙ୍କ ସ୍ଵାଗତ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।ବିଶେଷ କରି ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ରାଷ୍ଟ୍ରପତି ଆସନ୍ତାକାଲି ସକାଳ ୧୦ ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ସେଠାରୁ ପୁରୀ ଅଭିମୁଖେ ହେଲିକପ୍ଟରେ ବାହାରିବେ । ସେଠାରେ ମହାପ୍ରଭୂଙ୍କୁ ଦର୍ଶନ କରିବେ ଓ ମହାପ୍ରସାଦ ସେବନ କରିବେ । ପରେ ଭୁବନେଶ୍ବର ବିମାନବନ୍ଦରରେ ୨ଟା ୫୦ରେ ପହଞ୍ଚିବେ । ଏହାପରେ ରାଜଭବନ ଗସ୍ତ କରିବେ । ଏହାପରେ ଦିନ ୩ଟା ୧୫ ରୁ ୪ଟା ୧୫ପର୍ଯନ୍ତ ଭୁବନେଶ୍ବରର ୬ଟି ବିଭିନ୍ନ ଛକରେ ଥିବା ୮ଟି ପ୍ରତିମୂର୍ତ୍ତିରେ‌ ମାଲ୍ୟାର୍ପଣ କରିବେ । ପ୍ରଥମେ କଳ୍ପନା ଛକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ପରେ ରାଜଭବନ ଛକରେ ଥିବା ଉତ୍କଳମଣି ମଧୁସୁଦନ ଦାସ, ପରେ ଗୋପବନ୍ଧୁ ଛକରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସହ ପାଓ୍ବାର ହାଉସ ଛକରେ ଥିବା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ପରେ ନାଲକୋ ଛକରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସହ ଉତ୍କଳ ହସ୍ପିଟାଲ ନିକଟ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ୬ଟି ଛକର ଅସମ୍ଭାଳ ଟ୍ରାଫିକ ସମସ୍ୟା ଦେଖା ଦେଇପାରେ । କାରଣ କଳ୍ପନା ଛକ, ଏଜି ଛକ , ରାଜଭଵନ, ପାଓ୍ବାର ହାଉସ ଛକ , ଜୟଦେବ ବିହାର ଛକ ସମେତ, ନାଲକୋ ଛକର ଟ୍ରାଫିକ ନିୟନ୍ତ୍ରଣ ସହ ପୋଲିସ ପାଇଁ କାଠିକର ପାଠ ହେବ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଅତିରିକ୍ତ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । କମିଶନରେଟ୍ ପୋଲିସର ବଛା ବଛା ଅଫିସର ସହ ୭ମ ବାଟାଲିୟନ , ରିଜର୍ଭ ବାଟାଲିୟନ (ଆଇଆରବି) ,ସ୍ବତନ୍ତ୍ର ସୁରକ୍ଷା ବଳ(ଏସ ଏସ ବି),ଓଡ଼ିଶା ଆର୍ମ ପୋଲିସ ଫୋର୍ସ(ଓଏପିଏଫ୍),ସହ ଅତିରିକ୍ତ ୩ୟ ବାଟାଲିୟନ କୋରାପୁଟ, ଖୋର୍ଦ୍ଧା ବାଟାଲିୟନ ,ସମେତ ମୋଟ ୫୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଗୋଟିଏ ପ୍ଲାଟୁନରେ ୨୫ରୁ ୩୦ଜଣ ଯବାନ ରହିବେ । ଏହା ସହ ୨୨ଜଣ ଅତିରିକ୍ତ ଡିସିପି ସହ ୫୬ଜଣ ଡିଏସପି, ୬୨ଜଣ ଇନସ୍ପେକ୍ଟର ଓ ୨୦୦ଜଣ ଏସ ଆଇ ଓ ଏସଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ,ବମ ସ୍କ୍ବାଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍ ମଧ୍ୟ ସାମିଲ ହେବେ । ଆଜି ଏ ନେଇ ଫୁଲ ଡ୍ରେସ ରିହର୍ସଲ ହୋଇଛି ।

Related Posts